ବ୍ରହ୍ମପୁର, (ଏଟିଆର ବ୍ୟୁରୋ): ପୂରାପୁରି ପ୍ଲାନିଂରେ ଥିଲେ । ଟାର୍ଗେଟରେ ରହିଥିଲା ବ୍ୟାଙ୍କ । ଆଉ ଟିକେ ମୌକା ପାଇଥିଲେ ସିଦା କଳାକନା ବୁଲାଇ ଦେଇଥାନ୍ତେ । ହେଲେ ସବୁ ଫସର ଫାଟିଗଲା । ଖବର ପାଇଗଲା ପୁଲିସ ଆଉ ଡକାୟତ ଯୋଜନାକୁ ପଣ୍ଡ କଲା । ଏଭଳି ଏକ ଘଟଣା ଘଟିଛିି ବ୍ରହ୍ମପୁରର କେ ନୂଆଗାଁ ଥାନା ଅଞ୍ଚଳରେ । ପୁଲିସ ଏହି ଘଟଣାରେ ୫ଜଣ ଡକାୟତଙ୍କୁ ଗିରଫ କରିଛି ।
ସେମାନେ ହେଲେ ସୁରେନ୍ଦ୍ର ସ୍ୱାଇଁ, ଅନିଲ ସାହୁ, ସନ୍ତୋଷ ସବର, ଅରୁଣ ପଣ୍ଡା ଓ କାଶିନାଥ ପାଢ଼ୀ । ଏମାନଙ୍କ ପାଖରୁ ପୁଲିସ ୬ଟି ବୋମା, ୩ଟି ଖଣ୍ଡା, ଟର୍ଚ୍ଚ ଲାଇଟ, ବାଇକ, କଳାମୁଖା ଓ ସ୍କୁୃଡ୍ରାଇଭର ଆଦି ଜବତ କରିଛି । ପୁଲିସ ରିପୋର୍ଟ ଅନୁସାରେ, ବୋମକେଇ ଠାରେ ଥିବା ଉକ୍ରଳ ଗ୍ରାମ୍ୟ ବ୍ୟାଙ୍କକୁ ଟାର୍ଗେଟ କରିଥିଲେ ଏହି ଡକାୟତୀ ଗ୍ୟାଙ୍ଗ । ଏଥିପାଇଁ ସେମାନେ ପୂର୍ବରୁ ପୂରା ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲେ । ଯୋଜନା ମୂତାବକ ସମସ୍ତେ ଏକଜୁଟ ହୋଇ ବ୍ୟାଙ୍କ ପାଖରେ ପହଞ୍ଚି ଡକାୟତୀ କରିବାକୁ ଚେଷ୍ଟା କରୁଥିଲେ । ଠିକ ଏତିକି ବେଳେ ବିଶ୍ୱସ୍ତ ସୂତ୍ରରୁ ଏହି ସୂଚନା ମିଳିବା ପରେ ଚଢ଼ାଉ କରାଯାଇଥିବା ପୁଲିସ ସୂଚନା ଦେଇଛି ।