ଭୁୁବନେଶ୍ୱର,(ଏଟିଆରବ୍ୟୁରୋ): ଫିଲ୍ମପ୍ରେମୀଙ୍କ ପାଇଁ ଦୁଃଖ ଖବର । ଆଉ ନାହାନ୍ତି ଶ୍ରୀଦେବୀ । ହୃଦଘାତରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି । ୟୁଏଇରେ ତାଙ୍କର ମୃତ୍ୟୁ ହୋଇଥିବା ଶ୍ରୀଦେବୀଙ୍କ ସମ୍ପର୍କୀୟ ସଂଜୟ କାପୁର ଗଣମାଧ୍ୟମକୁ ଜଣାଇଛନ୍ତି । ମିଳିଥିବା ରିପୋର୍ଟ ଅନୁସାରେ, ସ୍ୱାମୀ ବନି କାପୁର ଓ ଝିଅ ଖୁସିଙ୍କ ସହ ସେ ଏକ ବିବାହ ଭୋଜିରେ ଯୋଗ ଦେବା ଲାଗି ୟୁଏଇ ଯାଇଥିଲେ ।
ସବୁ କିଛି ଠିକଠାକ ଥିଲା । ହଠାତ ସେ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ପରିବାର ଲୋକେ ତାଙ୍କୁ ଚିକିତ୍ସାଲାଗି ନିକଟରେ ଥିବା ଏକ ହସିପିଟାଲରେ ଭର୍ତି କରିଥିଲା । ଚିକିତ୍ସା ସମୟରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ୍ୟୁ ବେଳକୁ ଶ୍ରୀଦେବୀଙ୍କର ୫୪ବର୍ଷ ବୟସ ହୋଇଥିଲା । ରାତି ପ୍ରାୟ ୧୧ରୁ ସାଢ଼େ ୧୧ ଭିତରେ ତାଙ୍କର ମୃତ୍ୟୁ ହୋଇଥିବା ସଂଜୟ ଜଣାଇଛନ୍ତି । ଚଳଚିତ୍ର ଜଗତରେ ସେ ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ ।
ହିନ୍ଦି ଫିଲ୍ମକୁ ବାଦଦେଲେ ତେଲୁଗୁ,ମାଲାୟଲମ, କନ୍ନଡ ଏପରିକି ତାମିଲ ଫିଲ୍ମରେ ଅଭିନୟ କରି ବେଶ ପାରଦର୍ଶିତା ଦେଖାଇଥିଲେ ଶ୍ରୀଦେବୀ । ୨୦୧୩ରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ତାଙ୍କ ଅଭିନିତ ଫିଲ୍ମ ଚାନ୍ଦିନୀ, ଲମହା , ମିଷ୍ଟର ଇଣ୍ଡିଆ, ନାଗୀନ ଏପରି ବହୁ ଫିଲ୍ମ ବକ୍ସ ଅଫିସରେ ସୁପର-ହିଟ୍ ହୋଇଥିଲା । ୨୦୧୨ରେ ଇଂଲିସ ଭିଂଲିସ ଫିଳ୍ମରେ ନଜରକୁ ଆସିଥିଲେ ଶ୍ରୀଦେବୀ । ୨୦୧୭ରେ ଶେଷ ଚଳଚିତ୍ର ଥିଲା ମମ । ଯେଉଁଥିରେ ଶ୍ରୀଦେବୀଙ୍କ ଅଭିନୟ ଆଉ ଏକ ନିଆରା ପରିଚୟ ସୃଷ୍ଟି କରି ପାରିଥିଲା ।
ଶ୍ରୀଦେବୀ ତାମିଲନାଡୁର ଶିବାକାସୀରେ ୧୯୬୩ ମସିହା ଅଗଷ୍ଟ ୧୩ରେ ଜନ୍ମଗ୍ରହଣ କରିଥିଲେ । ୧୯୬୭ରୁ ସେ କୁନି କଳାକାର ଭାବେ ଚଳଚିତ୍ର ଜଗତରେ କ୍ୟାରିୟର ଆରମ୍ଭ କରିଥିଲେ । ୧୯୭୬ରେ ସାଉଥ ଇଣ୍ଡଷ୍ଟ୍ରିରେ କାମ ଆରମ୍ଭ କରିଥିଲେ । ୧୯୮୩ରେ ପ୍ରଥମ କରି ବଲିଉଡରେ ପାଦ ଥାପିଥିଲେ ।
Leena
Srideviji was my first favourite actress.