ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ରିପୋର୍ଟ ନାହିଁ । ଶବ ନାହିଁ । ଶବ ବ୍ୟବଚ୍ଛେଦ ବି ହୋଇନି । କିନ୍ତୁ ଶବ ପାଇଁ ବନ୍ଧା ହୋଇଛନ୍ତି ଅଭିଯୁକ୍ତ । ଖାଲି ବନ୍ଧା ତ’ ହୋଇ ନାହାନ୍ତି ଗଲା ୨ବର୍ଷ ହେଲା ଜେଲରେ ସଢ଼ୁଛନ୍ତି । ତାହା ପୁଣି ହତ୍ୟା ଅଭିଯୋଗରେ । ଅବଶ୍ୟ ଜେଲରେ ବସି ବସି ବେଳେ ବେଳେ ଭାବୁଛନ୍ତି ସେମାନେ ମାରିଛନ୍ତି କାହାକୁ? ଏବେ ଚାଲନ୍ତୁ ଯିବା ଟିକେ ଫ୍ଲାସ ବ୍ୟାକକୁ । ଜିତୁ ଦଣ୍ଡସେନ, ଘର ପାଇକମାର ଅଞ୍ଚଳରେ । ୨୦୧୬ରେ ଜିତୁଙ୍କର ହୋଇଥିଲା ମର୍ଡର । ଥାନାକୁ ରିପୋର୍ଟ ଆସିବା ପରେ ପୁଲିସ ତଦନ୍ତ କରି ଘଟଣାରେ ସମ୍ପୃକ୍ତ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଯେଉଁମାନେ କି ଏବେ ବି ଜେଲରେ ଅଛନ୍ତି । ବଟ ଜିତୁ ଇଜ ଆଲିଭ୍ । ମାନେ ଶବ ବଞ୍ଚିଛି । ଖାଲି ବଞ୍ଚିନି ତ’ ଫଳ ବିକୁଛି । ପାଇକମାଳ ନୁହେଁ ବରଂ ଜିତୁ ଟହଲ ମାରୁଛି ଖୋଦ ରାଜଧାନୀରେ ।
ଶୁଣିବାକୁ ଟିକେ ଖଟକା ଲାଗୁଥିବ ହେଲେ ମ୍ୟାଟର ପ୍ଲଟ ଜାଣିଲେ ଆପଣ ମୁଣ୍ଡରେ ବି ହାତ ଦେବେ । ବସି ବସି ଭାବିବାକୁ ବାଧ୍ୟ ହେବେ ୱା ଓଡିଶା ପୁଲିସ । ସତରେ ଆମ ପୁଲିସ ବେଶ ପାରିବାର । ଯେ ବିନା ଶବ, ବିନା ଶବ ବ୍ୟବଚ୍ଛେଦ ରିପୋର୍ଟରେ ହଳିଦିଆ ଫାଇଲରେ ମାଟିଆ ସୁତା ବାନ୍ଧିପାରେ, ସେହିଁ ଆମ ଓଡିଶା ପୁଲିସ । ଏ କଥା ଆମେ ନୁହେଁ ବରଂ କହୁଛି ଓଡିଶା ପୁଲିସର କାମ । ଦେଖୁନାହାନ୍ତି ଜିତୁ ଖାଇପିଇ ବଞ୍ଚିଛି, ବସି ବସି ଫଳ ବିକୁଛି, ଡେଲି କେତେ ଲୋକ ଯେ ଫଳ ନେଉଛନ୍ତି ତାହାର ହିସାବ ଜିତୁ ପାଖରେ ବି ନାହିଁ । ଗଲା ରଜ ସାବତ୍ରୀରେ ତ’ କେତେ ପୁଲିସ ବାବୁ ତା ପାଖରୁ ଫଳ ନେଇଛନ୍ତି ହେଲେ କିଏ ବା କାହିଁ ଜାଣିବ ଫଳ ଦେଉଥିବା ଲୋକଟା ପାଇକମାଳର ଜୀଅନ୍ତା ଶବ ଜିତୁୁ ।
ସବୁଠୁ ଆଶ୍ଚର୍ଯ୍ୟର କଥା ୨ବର୍ଷ ତଳେ ଯେଉଁ ତଦନ୍ତକାରୀ ଅଧିକାରୀ ଜିତୁ ହତ୍ୟା ମାମଲାର ତଦନ୍ତ କରୁଥିଲେ ତାଙ୍କ ପୁଲିସ ଚାକିରି ପାଇବାକୁ ନେଇ ଏବେ ସବୁଠୁ ବଡ଼ ପ୍ରଶ୍ନ ଛିଡା ହୋଇଛି? ଏମିତି ମୁଣ୍ଡ ପାଗଳା ଲୋକଙ୍କୁ କିଏ ଦେଇଥିଲା ପୁଲିସ ଚାକିରି? କିଏ ନେଇଥିଲା ସାକ୍ଷାତକାର? କେଉଁଠୁ ପାଇଥିଲେ ସେ ପ୍ରଶିକ୍ଷଣ? ଯେଉଁ ଅଫିସର ଶବ ଦେଖିନି, ଶବକୁ ଇନକ୍ୟୁଏସେଟ କରିନି, କି ପୋଷ୍ଟମର୍ଟମ ଲାଗି କଥା ନେଇନି । ଫିରବି ୨ଜଣଙ୍କୁ ବାନ୍ଧି ପକାଇଛି । ଆଇନ କହୁଛି ଶହେ ଦୋଷୀ ଖସି ଯାଆନ୍ତୁ ହେଲେ ଦଣ୍ଡ ନପାଉ ନିର୍ଦ୍ଦୋଷ । ଖାସ କରି ହତ୍ୟା ବା ହତ୍ୟା ସମ୍ପର୍କିତ ରିପୋର୍ଟ ଆସିଲେ ଜଣେ ସିନିୟର ବେସ ଅଧିକାରୀ ଏହାର ତଦନ୍ତ କରନ୍ତି । ଏପରିକି ମାମଲାର ଛାନଭିନଠୁ ଆରମ୍ଭ କରି ଚାର୍ଜସିଟ ପର୍ଯ୍ୟନ୍ତ ନିଜେ ଥାନା ଅଧିକାରୀ ମାମଲାର ଦଖଲ ନିଅନ୍ତି ।
କେଉଁ ଦଫା ଲାଗିବ? ଇଣ୍ଟରଗେସନ କେମିତି ହେବ? ସ୍ଥାନୀୟ ଏସଡିପିଓ ବା ଡିଏସପି ର୍ୟାଙ୍କର ବରିଷ୍ଠ ପୁଲିସ ଅଧିକାରୀଙ୍କ ପରାମର୍ଶରେ ହୁଏ ତଦନ୍ତ । ଏଇଥିପାଇଁ ମାମଲା ସହିତ ଜଡିତ କେହି ଯେମିତି ଖସି ନଯାଆନ୍ତି । ହେଲେ ପାଇକମାଳର ଏହି ଜିତୁ ହତ୍ୟା ଘଟଣାରେ ନିଜେ ଶବ ୨ବର୍ଷ ପରେ ପୁଣି ଜୀଅନ୍ତା ଥିବା ଜଣାପଡିବା ପରେ ଓଡିଶା ପୁଲିସର ସ୍ୱଚ୍ଛତା , ବିଶ୍ୱାସନିୟତା ଓ କାର୍ଯ୍ୟଦକ୍ଷତା ଉପରେ ଲାଗିଛି କଳଙ୍କ ଏବଂ ପ୍ରଶ୍ନଚିହ୍ନ । ଅପେକ୍ଷା ଏହାକୁ ନେଇ ଡିଜି କେବେ ଡାକୁଛନ୍ତି ପ୍ରେସମିଟ ।