ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ବେଶବୁଶା ଦେଖିଲେ ଲାଗୁଥିଲା ଏକଦମ ହାଇଫାଇ । ହେଲେ ବ୍ୟବହାର ଅତି କଦର୍ଯ୍ୟ । ଯାହାକୁ ପାରୁଥିଲେ ବକୁଥିଲେ । ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଥାନାରେ ତ’ ପୂରା ହଙ୍ଗାମା ରଚିଥିଲେ ସେ । କେତେବେଳେ ହିନ୍ଦି ତ’ ପୁଣି କେତେବେଳେ ଅର୍ନଗଳ ଇଂଗ୍ରାଜୀ ଗପି ଉପସ୍ଥିତ ପୁଲିସ କର୍ମଚାରୀଙ୍କ ମୁଣ୍ଡ ଟିଣ କରିଥିଲେ । ନିଜ ସମସ୍ୟା ବଖାଣିବେ ବଦଳରେ ଓଲଟି ପୁଲିସକୁ ଆଇନକାନୁନର ପାଠ ପଢ଼ାଇଥିଲେ ।
ଯାହାକୁ ନେଇ ବେଶ କିଛି ସମୟ ଥାନା ଉଠପଡ ହୋଇଥିଲା । ରବିବାର ରାତିରେ ଜଣେ ଯୁବତୀ ନୟାପଲ୍ଲୀ ଥାନା ଭିତରେ ଏଭଳି ହଙ୍ଗାମା ମଚାଇଥିଲେ । ମିଳିଥିବା ରିପୋର୍ଟ ଅନୁସାରେ, ହଙ୍ଗାମା ରଚିଥିବା ଯୁବତୀ ଏକ ଓଲା କାର ବୁକ କରିଥିଲେ । ତେବେ ଗାଡି ଡ୍ରାଇଭର ପୁଡିଆ ଖାଇଥିଲା । ଯେଉଁଥିପାଇଁ ରାଗିପାଚି ଲାଲ ପଡିଥିଲେ ଯୁବତୀ । ଯଦିଓ ପ୍ରଥମେ କିଛି କହୁନଥିଲେ କିନ୍ତୁ ଯେତେବେଳେ ଡ୍ରାଇଭର ଡୋର ଖୋଲି ଛେପ ପକାଇଲା ସେତେବେଳେ ଆଉ ସମ୍ଭାଳିପାରିଲେନି ସେ । ହଠାତ ବିଚ ରାସ୍ତାରେ ଗାଡିକୁ ଅଟକାଇ ଡ୍ରାଇଭରକୁ ବହେ ଶୁଣାଇଥିଲେ ।
ରାସ୍ତା ଉପରେ ଯୁବତୀଙ୍କ ହଙ୍ଗାମା ଦେଖି ଉପସ୍ଥିତ ଲୋକେ ପୁଲିସକୁ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ପିସିଆର ପହଞ୍ଚି ବୁଝାସୁଝା କରିଥିଲା । ହେଲେ ପୁଲିସର କୌଣସି କଥାକୁ ଶୁଣିନଥିଲେ ଯୁବତୀ । ଓଲଟି ଡ୍ରାଇଭରକୁ ଥାନାକୁ ନେବାକୁ କହିଥିଲେ । ଉପସ୍ଥିତ ପୁଲିସ କର୍ମଚାରୀ ଏ ସମ୍ପର୍କରେ ଥାନାରେ ଅଭିଯୋଗ କରିବାକୁ ପରାମର୍ଶ ଦେବାରୁ ତାତି ଉଠିଥିଲେ ଯୁବତୀ । ବାସ ଏହାପରେ ଆରମ୍ଭ ହୋଇଥିଲା ହଙ୍ଗାମା । ଯାହାକୁ ନେଇ ବେଶ କିଛି ସମୟ ନାକେଦମ ହେବାକୁ ପଡିଥିଲା ପୁଲିସକୁ ।