ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡର ଦବଙ୍ଗ ଖାଁଙ୍କ ଜୀବନରୁ ବିବାଦ ଥମିବାର ନାଁ ଧରୁନାହିଁ । କିଛି ଦିନ ପୂର୍ବରୁ ତାଙ୍କୁ ଜଳନ୍ଧର ନ୍ୟାୟାଳୟରୁ ସମନ ଜାରି କରାଯାଇଥିଲା । ଏବେ ପୁଣି ଥରେ ତାଙ୍କ ବିରୋଧରେ ଏକ ଏନଆରଆଇ ପରିବାର ପକ୍ଷରୁ ଗମ୍ଭୀର ଅଭିଯୋଗ ଆସିଛି । ଏହି ପରିବାରର କହିବାନୁଯାୟୀ, ସଲମାନ୍ କେବଳ ଫିଲ୍ମ ଜଗତରେ ଦବଙ୍ଗଗିରି ଦେଖାଉ ନାହିଁନ୍ତି, ସେ ତାଙ୍କର ପ୍ରକୃତ ଜୀବନରେ ମଧ୍ୟ ଦବଙ୍ଗ ଗିରି କରୁଛନ୍ତି । ଏବଂ ତାଙ୍କୁ ଖୁବ୍ ହଇରାଣ କରୁଛନ୍ତି ।
ସୂଚନାନୁଯାୟୀ, ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଏନଆରଆଇ ପରିବାରର ସଦସ୍ୟ ସଲମାନ୍ ଙ୍କ ଦ୍ୱାରା ହୋଇଥିବା ଅତ୍ୟାଚାର ବିଷୟରେ ଜଣାଇଥିଲେ । ଏହି ମାମଲା ସଲମାନ୍ ଙ୍କ ପନବେଲ ସ୍ଥିତ ଫାର୍ମହାଉସ ସହ ଜଡିତ ଅଛି ।
ଏନଆରଆଇ ପରିବାରର ମୁଖିଆ କେତନ କକ୍କଡଙ୍କ କହିବାନୁଯାୟୀ,୧୯୯୬ ମସିହାରେ ସେମାନେ ସଲମାନ୍ ଙ୍କ ଫାର୍ମ ହାଉସ ନିକଟରେ ୨.୫ ଏକରର ଜମି କିଣିଥିଲେ । ସେ ତାଙ୍କ ପରିବାର ସହ ଆମେରିକାରେ ରହୁଛନ୍ତି । ଏବେ ସେ ଭାରତରେ ରହିବେ ବୋଲି ଭାବିଛନ୍ତି । କିନ୍ତୁ ସଲମାନ୍ ଚାହୁଁନାହାନ୍ତି କି ସେମାନେ ଆସି ସେହି ସ୍ଥାନରେ ରୁହନ୍ତୁ । ସେଥିପାଇଁ ତାଙ୍କୁ ହଇରାଣ କରିବାରେ ଲାଗିଛନ୍ତି ।
କକ୍କଡଙ୍କ ଓକିଲ ଆଭା ସିଂଙ୍କ କହିବାନୁଯାୟୀ, ସଲମାନ୍ ଙ୍କ ଫାର୍ମ ହାଉସ ନିକଟରେ ଥିବା ଜମିରେ ଜବରଦସ୍ତ ଏକ ଗେଟ୍ ଲଗା ଯାଇଛି । ଏବଂ କକ୍କଡ ଯେତେବେଳେ ଲାଇନ ପାଇଁ ଆବେଦନ କଲେ ସେତେବେଳେ ତାଙ୍କୁ ଲାଇନର ସୁବିଧା ଯୋଗାଇ ଦିଆଗଲା ନାହିଁ । ଏହାକୁ ନେଇ ସେ ମହାରାଷ୍ଟ୍ରର ଜଙ୍ଗଲ ମନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ । କିନ୍ତୁ ଏପର୍ଯ୍ୟନ୍ତ କୌଣସି ଆକ୍ସନ ନିଆ ଯାଉନାହିଁ ।