ଭୁବନେଶ୍ୱର,୧୩।୨/(ବ୍ୟୁରୋ): ଚନ୍ଦକା ଅଞ୍ଚଳରେ ରାତିକେ ଦୁଇଟି ଘରେ ବୁଲିଛି କଳାକନା । ଡକାୟତମାନେ ମାଡ଼ ମାରି ଓ ଭୁଜାଲି ଲଗାଇ କରିଛନ୍ତି ସଶନ୍ତ୍ର ଡକାୟତୀ । ଅପରେସନ୍ ଏପରି ହୋଇଛି ଯେ କମିଶନରେଟ୍ ପୋଲିସ ବା ଚନ୍ଦକା ଥାନା ପୋଲିସ ସାମନ୍ୟ ସୁଦ୍ଧା ଟେର୍ ପାଇ ପାରି ନାହିଁ । ଦୁଇଟି ପରିବାରରୁ ଡକାୟତମାନେ ପ୍ରାୟ ୧୨ ଭରିରୁ ଅଧିକ ସୁନା ଅଳଙ୍କାର ସହ ପାଞ୍ଚ ଲକ୍ଷ ଟଙ୍କା ନେଇଯାଇଥିବା ଜଣାପଡିଛି ।
ମିଳିଥିବା ସୂଚନା ମୁତାବକ, ଛତାବର ଗାଁରେ ଲକ୍ଷ୍ମଣ ମହାରଣା, ତାଙ୍କ ପୁଅ ବୁଲୁ ମହାରଣା ଓ ବୋହୂ ଦୀପ୍ତିମୟୀ ମହାରଣା ରହୁଛନ୍ତି । ସେମାନେ ଗତକାଲି ଶୋଇଥିବା ବେଳେ ରାତି ପ୍ରାୟ୨ଟା ୩୦ରୁ ୩ଟା ମଧ୍ୟରେ ୮ରୁ ୧୦ଜଣ ଡକାୟତ ଲକ୍ଷ୍ମଣଙ୍କ ଛାତ ଉପର ଦେଇ ଘରେ ପଶିଥିଲେ । ଲକ୍ଷ୍ମଣ ଶୋଇଥିବା ରୁମ୍ରେ ଡକାୟତମାନେ ପ୍ରଥମେ ବାହାର ପଟୁ ତାଲା ପକାଇ ଦେଇଥିଲେ । ପରେ ପୁଅ ବୁଲୁଙ୍କୁ ଧକ୍କା ମାରି ବାହାରକୁ ନେଇ ଆସିଥିବା ବେଳେ ବୋହୂ ଦୀପ୍ତିମୟୀଙ୍କ ବେକରେ ଭୁଜାଲି ଲଗାଇ ସେ ପିନ୍ଧିଥିବା ମଙ୍ଗଳସୂତ୍ର ନେବା ସହ ଆଲମୀରା ଚାବି ଛଡାଇ ନେଇଥିଲେ । ଆଲମୀରାରେ ଥିବା ଗୋଟାଏ ହାର, ହଳେ କାନ ଫୁଲ, ତିନି ହଳ ସୁନା କାଚ, ମୁଦି ଓ ମଙ୍ଗସୂତ୍ର ଆଦି ମିଶାଇ ପାଞ୍ଚ ଭରିରୁ ଊଦ୍ଧ୍ୱର୍ ସୁନା ଓ ଟଙ୍କା ନେଇଯାଇଥିଲେ । ଆହୁରି ମଧ୍ୟ ଏହି ଡକାୟତମାନେ ତାଙ୍କ ଘରେ ଥିବା ରୁଟି ତରକାରୀ ସହ ମଦ ପିଇ ସେଠାରୁ ଯାଇଥିଲେ । ଏତିକିରେ ଡକାୟତମାନଙ୍କର ଅପରେସନ ସରିନଥିଲା ।
ପଳାଶପୁର ଠାରେ ଅବସରପ୍ରାପ୍ତ ନୌସେନା ଅଧିକାରୀ ଦେବରାଜ ମାଝି, ପତ୍ନୀ ଜେନାମଣୀ ମାଝି,ପୁଅ ଦିଲ୍ଲୀପ ମାଝି ଓ ଝିଅ ରଶ୍ମିତା ମାଝି ରୁହନ୍ତି । ଡକାୟତମାନେ ତାଙ୍କ ଘର କବାଟ ବାଡେଇ ଥିଲେ । ଦିଲ୍ଲୀପ ଆସି କବାଟ୍ ଖୋଲିବା ମାତ୍ରେ ଡକାୟତମାନେ ତାଙ୍କୁ ମାଡ ମାରିଥିଲେ । ସେ ଚିତ୍କାର କରିବାରୁ ଘରର ଅନ୍ୟ ଲୋକମାନେ ଉଠି ଦୌଡି ଆସିଥିଲେ । ଡକାୟତମାନେ ଜେନାମଣୀ ଓ ରଶ୍ମିତାଙ୍କୁ ମଧ୍ୟ ମାଡ ମାରିଥିଲେ । ଏହି ସମୟରେ ଦେବରାଜ ଛାତ ଉପରକୁ ଲୋକଙ୍କୁ ଡାକିବାକୁ ଯାଉଥିବା ବେଳେ ଡକାୟତମାନେ ତାଙ୍କୁ ସିଢିରୁ ଠେଲି ଦେଇଥିଲେ । ଫଳରେ ତାଙ୍କ ଦୁଇ ଗୋଡରେ ଗଭୀର ଆଘାତ ଲାଗିଛି । ପରେ ଡକାୟତମାନେ ତାଙ୍କ ଆଲମିରା ଶାବଳରେ ତାଡି ନଗଦ ପାଞ୍ଚ ଲକ୍ଷ ଟଙ୍କା , ୨ଟି ହାର, ଗୋଟିଏ ଚେନ୍, ହଳେ ସୁନାର ଚୁଡ ଆଦି ସାତ ଭରି ସୁନା ଅଳଙ୍କାର ନେଇ ଯାଇଥିଲେ ବୋଲି ସେମାନେ ଅଭିଯୋଗ କରିଛନ୍ତି । ପୋଲିସ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହ ଯାଇ ଘଟଣାସ୍ଥଳରେ ଛାନଭିନ୍ ଜାରି ରଖିଛି ।