ସୋର,(ଏଟିଆର ବ୍ୟୁରୋ): କଲେଜ ଯିବା ବାଟରେ ହାବୁଡି ଥିଲେ । ଧୀରେ ଧୀରେ ପରିଚୟ ହୋଇଥିଲା । ଗଢ଼ି ଉଠିଥିଲା ବନ୍ଧୁତାର ସମ୍ପର୍କ । ପରେ ଏହି ବନ୍ଧୁତ୍ୱରୁ ପ୍ରେମ ଆଉ ତା’ ପରେ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ । ତା’ ପୁଣି ଥରେ ନୁହେଁ ଲଗାତାର । ଏବେ କିନ୍ତୁ ମନ ଭରିଗଲା । ସବୁ ପିତା ଲାଗୁଛି । ଧରାଛୁଆଁ ଦେଉନି ପ୍ରେମିକ । ଦେଇଛି ଧୋକା । କେବଳ ଏତିକି ନୁହେଁ ଆଉ କେଉଁଠି ଏବେ ପ୍ରେମିକ ବିବାହ କରିବାକୁ ଯାଉଛନ୍ତି ।
ଏ କଥା ଶୁଣିବା ପରେ ଏବେ ପ୍ରେମିକା ଥାନାର ଦ୍ୱାରସ୍ଥ ହୋଇ ନ୍ୟାୟ ମାଗିଛନ୍ତି । ଏଭଳି ଲଭ-ସେକ୍ସ ଓ ଧୋକା ଏବେ ସୋର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ସବୁଠୁ ବଡ଼ କଥା ହେଉଛି ଧୋକା ଦେଇଥିବା ପ୍ରେମିକ ହେଉଛନ୍ତି ଜଣେ ଅଗ୍ନିଶମ କର୍ମଚାରୀ । ତାଙ୍କ ନାଁ ସଗ୍ରାମ ମୁର୍ମୁ ଓ ଘର ମୟୁରଭଞ୍ଜ ବୋଲି ଜଣାପଡିଛି । ତେବେ ଅଭିଯୋଗ ଅନୁଯାୟୀ ଯୁବତୀଙ୍କ ଘର କମରପୁର ଅଞ୍ଚଳରେ । ୨୦୦୯ରୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ରହିଥିଲା । ଉଦଳା ଅଞ୍ଚଳରେ ଥିବା ଏକ ସିଲେଇ ଦୋକାନରେ ଯୁବତୀ ଜଣଙ୍କ କାମ କରୁଥିବା ବେଳେ ସଂଗ୍ରାମ କଲେଜରେ ପଢ଼ୁଥିଲେ । ଏହି ସମୟରେ ସମ୍ପର୍କ ଗଢ଼ି ଉଠିଥିଲା । ପରେ ଶାରୀରିକ ସମ୍ପର୍କ ରହିଥିଲା । ଯୁବତୀଙ୍କ କହିବା ଅନୁସାରେ ବାହା ହେବାର ସ୍ୱପ୍ନ ଦେଖାଇ ସଂଗ୍ରାମ ତାଙ୍କ ସହ ସମ୍ପର୍କ ରଖିଥିଲେ । ଏଥିପାଇଁ ସେ ଦୁଇ ଦୁଇଥର ଗର୍ଭବତୀ ମଧ୍ୟ ହୋଇ ପରେ ଗର୍ଭପାତ କରାଇଥିଲେ ।
ତେବେ ସଂଗ୍ରାମ ଚାକିରି କରିବା ପରେ ଆଉ ଧରାଛୁଆଁ ଦେଇନଥିଲେ । ଏବେ ସଂଗ୍ରାମ ଅନ୍ୟତ୍ର ବିବାହ କରିବାକୁ ଯାଉଥିବା ସୂଚନା ପାଇ ଯୁବତୀ ଜଣଙ୍କ ପୁଲିସର ଦ୍ୱାରସ୍ଥ ହୋଇଛନ୍ତି । ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।