ବରଗଡ(ଏଟିଆର ବ୍ୟୁରୋ): ଡକାୟତି, ଅପହରଣ, ଦାଦାବଟି ଆଦାୟ ଭଲି ବହୁ ମାମଲାରେ ଜଡିତ ରହିଥିବା ଦୁର୍ଦ୍ଦାନ୍ତ ଅପରାଧି ଅମିତ ଦାସକୁ ବରଗଡ ପୋଲିସ ଗତ କାଲି ରାତିରେ ଗିରଫ କରିଛି । ସୂଚନା ଅନୁସାରେ ଅମିତ ନାଁରେ ବହୁ ଅପରାଧୀକ ମାମଲା ଥିବାରୁ ବରଗଡ ପୋଲିସର ମୋଷ୍ଟୱଣ୍ଟେଡ ତାଲିକାରେ ଅମିତ ରହିଥିଲା । ତେବେ ବହୁ ଦିନ ଅମିତକୁ ଧରିବା ପାଇଁ ବରଗଡ ପୋଲିସ ଚେଷ୍ଟା କରି ଆସୁଥିଲା । ଗତକାଲି ରାତିରେ ଆମ୍ବାଭୋନା ବ୍ଲକର ସୀମାନ୍ତରେ ଥିବା ସମ୍ବରଧରା ଅଞ୍ଚଳରେ ଅମିତ ଥିବାର ଜାଣିବାକୁ ପାଇଥିଲା ବରଗଡ ପୋଲିସ । ଏହା ପରେ ପୋଲିସର ଏକ ଟିମ ଅମିତକୁ ଧରିବା ପାଇଁ ସମ୍ବରଧରା ଅଞ୍ଚଳରେ ଚଢାଉ କରିଥିଲା ।
ଚଢାଉ ସମୟରେ ଅମିତ ଖସି ଯିବାକୁ ଚେଷ୍ଟା କରିବା ସହ ପୋଲିସ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଲାଇ ଥିବାର ସୂଚନା ମଧ୍ୟ ମିଳିଛି । ଏହା ପରେ ଅମିତ ସେଠାରୁ ଖସି ପଲାଇବା ପାଇଁ ଚେଷ୍ଟା କରୁଥିବା ବେଳେ ପୋଲିସ ଅମିତର ପିଛା କରି ଅମିତକୁ ଧରିବାର ସକ୍ଷମ ହୋଇଥିଲା । ଅମିତ ନାଁରେ ବରଗଡ ଓ ବଲାଙ୍ଗୀର ଜିଲ୍ଲାରେ ବିଭିନ୍ନ ଥାନାରେ ବହୁ ମାମଲା ଥିବାର ଜଣାପଡିଛି । ପୋଲିସ ଅମିତକୁ ଗିରଫ କରି କୋର୍ଟ ଚାଲଣ କରିଛି ।