ବ୍ରହ୍ମପୁର(ଏଟିଆର ବ୍ୟୁରୋ): ସିନିୟର ସିଟିଜେନଙ୍କ ସୁରକ୍ଷା ନେଇ କାହିଁ କେତେ ପଦକ୍ଷେପ ନିଆଯାଉଛି । ହେଲେ ସବୁ ପଦକ୍ଷେପ କେବଳ କାଗଜକଲମରେ ହିଁ ଅଟକି ରହିଛି । ସିଧା କହିବାକୁ ଗଲେ ଏବେ ବି ଆଦୌଁ ସୁରକ୍ଷିତ ନୁହନ୍ତି ସିନିୟର ସିଟିଜେନ । ଆମେ ଏଥିପାଇଁ ଏକଥା କହୁଛୁ କାରଣ ବ୍ରହ୍ମପୁର ବଡ଼ବଜାର ଥାନା ଅଞ୍ଚଳରେ ଜଣେ ସିନିୟର ସିଟିଜେନଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି ।
ଲୁଟପାଟ କରି ଦୁର୍ବୃତ୍ତମାନେ ଏଭଳି କାଣ୍ଡ ଭିଆଇଥିବା ଅଭିଯୋଗରେ ଦର୍ଶାଯାଇଛି । ପୁଲିସ ମୃତ ଦେହକୁ ଜବତ କରିବା ସହ ସାଇଣ୍ଟିଫିକ ଟିମ ସହାୟତାରେ ଖୋଳତାଡ ଆରମ୍ଭ କରିଛି । ମୃତ ବୃଦ୍ଧାଙ୍କ ନାଁ ଜମ୍ଭୁବତୀ ସାହୁ(୭୫), ଘର ଜେମାଦେଇପେଣ୍ଠ ସାହି ।
ରିପୋର୍ଟ ଅନୁସାରେ, ଏକାକି ରହୁଥିଲେ ଜମ୍ଭୁବତି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ମଧ୍ୟାହ୍ଣରେ ଘର ବାରଣ୍ଡାରେ ସେ ବସିଥିଲେ । ତେବେ ଅପରାହ୍ଣରେ ଘର କାମ କରିବାକୁ ଆସୁଥିବା ଜଣେ ମହିଳା ସେଠାରେ ପହଞ୍ଚିଥିଲେ । ତେବେ ସେତେବେଳକୁ ଘରର କବାଟ ଖୋଲା ରହିଥିଲା । ଭିତରକୁ ଯିବା ପରେ ଜମ୍ଭୁବତୀ ଶୋଇଥିବା ଦେଖିବାକୁ ମିଳିଥିଲା । କିନ୍ତୁ ଯେତେ ଡାକିଲେ ବି ସେ ଆଉ ଉଠିନଥିଲେ ।
ସନ୍ଦେହ ହେବାରୁ ଘର କାମ କରିବାକୁ ଆସିଥିବା ମହିଳା ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକ ଓ ଜମ୍ଭୁବତୀଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ । ପରେ ପୁଲିସ ପହଞ୍ଚି ଦେଖିବା ବେଳକୁ ଜମ୍ଭୁବତୀଙ୍କ ପାଟିରୁ ରକ୍ତ ବାହାରୁଥିବା ଦେଖିବାକୁ ମିଳିଥିଲା । ପରିବାର ଲୋକଙ୍କ ଅଭିଯୋଗ ଜମ୍ଭୁବତୀଙ୍କୁ ତଣ୍ଟି ଚିପି ହତ୍ୟା କରିବା ପରେ ଦୁର୍ବୃତ୍ତମାନେ ଘରୁ ୧୫୫ଗ୍ରାମ ସୁନା ସହ ନଗଦ ୩ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ଆଲମିରା ଭାଙ୍ଗି ଏହି ଲୁଟପାଟ ହୋଇଥିବା ଅଭିଯୋଗରେ ଦର୍ଶାଯାଇଥିବା ବେଳେ ପୁଲିସ ପୂରା ଘଟଣାର ଖୋଳତାଡ ଆରମ୍ଭ କରିଛି । ତେବେ ଘଟଣା ପଛର ପ୍ରକୃତ କାରଣ କ’ଣ ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୁଲିସ ସୂଚନା ଦେଇଛି । ସେପଟେ ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ଲାଗି ହସପିଟାଲ ପଠାଇଛି । ରିପୋର୍ଟ: ନବୀନ ରାଜ ଆଚାରୀ