ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଓଡ଼ିଶା ଗଣମାଧ୍ୟମର ସର୍ବ କନଷ୍ଠ ସମ୍ପାଦକ ହୋଇ ରେକର୍ଡ କରିଥିବା ଅର୍ଦ୍ଧେନ୍ଦୁ ଦାଶ ଖୁବଶୀଘ୍ର ଏକ ନୂଆ ରୂପରେ ଲୋକଙ୍କ ଆଗରେ ହାଜର ହେବେ । କୁହାଯାଉଛି ଅର୍ଦ୍ଧେନ୍ଦୁ ଦାଶ ନ୍ୟୁଜ୍-୭ର ସମ୍ପାଦକ ପଦରୁ ଆସନ୍ତା ୪ରୁ ୫ ମାସ ମଧ୍ୟରେ ଇସ୍ତଫା ଦେବେ । ଏହାପରେ ସେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳରେ ଯୋଗଦେବେ । ଅବଶ୍ୟ ସେ କେଉଁ ରାଜନୈତିକ ଦଳରେ ଯୋଗଦେବେ, ତାହା ଜଣାପଡ଼ି ନଥିଲେ ହେଁ ସମ୍ଭବତଃ ସେ ବିଜେପି କିମ୍ବା ବିଜେଡିରେ ଯୋଗ ଦେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
ଏନେଇ ଅର୍ଦ୍ଧେନ୍ଦୁ ଦାଶଙ୍କ ପ୍ରତିକ୍ରିୟା ମିଳି ପାରି ନଥିଲେ ହେଁ ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସେ ଖୁବଶୀଘ୍ର ରାଜନେତା ହେଉଛନ୍ତି ବୋଲି ଜଣାପଡ଼ିଛି । ଅନ୍ୟପକ୍ଷରେ ଅର୍ଦ୍ଧେନ୍ଦୁ ଦାଶ ଆଗାମୀ ୨୦୧୯ ନିର୍ବାଚନରେ ଜଟଣୀରୁ ପ୍ରାର୍ଥୀ ହୋଇ ପାରନ୍ତି । ପୂର୍ବରୁ ସେଠାରେ ଅନୁଷ୍ଠିତ ହେଉଥିବା ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଶ୍ରୀ ଦାଶଙ୍କ ସକ୍ରିୟ ଉପସ୍ଥିତି ଦେଖିବାକୁ ମିଳିଥିଲା । ଏପରି କି ଅନେକ ସମୟରେ ଜଟଣୀବାସୀ ମାଟିର ପୁଅ ସେମାନଙ୍କ ନେତୃତ୍ୱ ନିଅନ୍ତୁ ବୋଲି ଯେଉଁ ପୋଷ୍ଟର ମାରିଥିଲେ, ସେଥିରେ ଶ୍ରୀ ଦାଶଙ୍କ ଫଟୋ ଥିବା ଦେଖିବାକୁ ମିଳି ଥିଲା । ସେତେବେଳେ କୁହାଯାଉଥିଲା ଅର୍ଦ୍ଧେନ୍ଦୁ ଦାଶ ଖୁବ୍ଶୀଘ୍ର ବିଜେଡିରେ ମିଶିବେ । ଏପରି କି କିଛି ୱେବ ସାଇଟ ଏନେଇ ଖବର ପ୍ରକାଶ କରିଥିଲା । ହେଲେ ସେତେବେଳେ ସେମିତି କିଛି ଘଟଣା ଘଟି ନଥିଲା ।
ଏବେ କିନ୍ତୁ ଶ୍ରୀ ଦାଶଙ୍କ ପାଖ ଲୋକମାନେ ଏହି ଆଲୋଚନାକୁ ଖୋରାଗ ଯୋଗାଇଛନ୍ତି । ସେମାନଙ୍କ କହିବା କଥା ନ୍ୟୁଜ-୭ର ସମ୍ପାଦକ ଭାବେ କାର୍ଯ୍ୟ କରୁଥିବା ଅର୍ଦ୍ଧେନ୍ଦୁ ଦାଶ ନିଜ ପଦରୁ ଆସନ୍ତା ୪ ମାସ ମଧ୍ୟରେ ଇସ୍ତଫା ଦେବେ । ଏନେଇ ସେ ନ୍ୟୁଜ-୭ ମାଲିକଙ୍କୁ ଜଣାଇ ସାରିଛନ୍ତି । ମାଲିକ ଜଣଙ୍କ ମଧ୍ୟ ଏଥିରେ ସମ୍ମତି ହୋଇଥିବା ଜଣାପଡ଼ିଛି । ଏପରି କି ମାଲିକ ମଧ୍ୟ ନୂଆ ସଂପାଦକଙ୍କୁ ଖୋଜିବା ଆରମ୍ଭ କରିଛନ୍ତି । ଏହି ସମ୍ପାଦକଙ୍କ ତାଲିକାରେ ଅନେକ ଓଡ଼ିଆ ଇଣ୍ଡଷ୍ଟ୍ରୀର ବଡ଼ବଡ଼ ସାମ୍ବାଦିକ ନାଁ ଶୁଣିବାକୁ ମିଳୁଛି । ହେଲେ ସେଇଟା ପରକଥା । ଆମେ ପରବର୍ତୀ ଅବସ୍ଥାରେ ଏହାର ସୂଚନା ଦେବୁ । ତେବେ ଏଠାରେ ପ୍ରସଙ୍ଗ ହେଉଛନ୍ତି ଶ୍ରୀ ଦାଶ । ଶ୍ରୀ ଦାଶ ୨୦୧୪ ମସିହାରେ ବିଜେଡିରୁ ଟିକେଟ ପାଇବେ ବୋଲି କୁଆଡ଼େ ଆଶା କରିଥିଲେ ।
ଏପରି କି ବିଜେଡି ସହ ଘନିଷ୍ଠତା ରଖିଥିବା କିଛି ସାମ୍ବାଦିକ ବନ୍ଧମାନଙ୍କୁ ଟିକେଟ ଖଣ୍ଡେ ଦେବାକୁ କହିଥିଲେ । ହେଲେ ସେତେବେଳେ ଶ୍ରୀ ଦାଶଙ୍କୁ ବିଜେଡି ଦଳର ଟିକେଟ ଦେବାକୁ ମନା କରିବାରୁ ସେ ଦଳରେ ସାମିଲ ହୋଇ ନଥିଲେ । ଫଳରେ ସାମ୍ବାଦିକରୁ ରାଜନେତା ହେବାର ସ୍ୱପ୍ନ ତାଙ୍କର ଅଧାରେ ରହି ଯାଇଥିଲା । ଏବେ କିନ୍ତୁ ଶ୍ରୀ ଦାଶ ଆଉ ପଛକୁ ଫେରିବେ ନାହିଁ । ଯଦି ଏଥର ବିଜେଡି ତାଙ୍କୁ ଟିକେଟ ଦେବାକୁ ମନା କରିବ, ତା’ହେଲେ ସେ ବିଜେପିରେ ଯୋଗଦେବ । ଯାହା ହେଲେ ବି ସେ ୨୦୧୯ ନିର୍ବାଚନରେ ଜଟଣୀ ବିଧାନସଭା ଆସନରୁ ପ୍ରାର୍ଥୀ ହେବାକୁ ଚାହୁଁଛନ୍ତି । ତେଣୁ ଆସନ୍ତା ୪ ମାସ ମଧ୍ୟରେ କ’ଣ ଘଟୁଛି, ତାହା ଦେଖିବାକୁ ବାକି ରହିଲା । ଯଦି ଶ୍ରୀ ଦାଶ ରାଜନେତା ହୁଅନ୍ତି, ତା’ହେଲେ ପୂର୍ବରୁ ସାମ୍ବାଦିକରୁ ରାଜନେତା ହୋଇଥିବା ତାଲିକାରେ ଆଉ ଜଣଙ୍କ ନାଁ ଯୋଡ଼ି ହୋଇଯିବ । ଦେଖାଯାଉ ଏହି ଖବରରେ କେତେ ସତ୍ୟତା ଅଛି ।