କଟକ,(ଏଟିଆର ବ୍ୟୁରୋ): ଘରେ ସୋରିଷ ତେଲ ବ୍ୟବହାର କରୁଛନ୍ତି କି? ହୁସିଆର । ଏହା ବିଷ ହୋଇପାରେ । କେବଳ ସୋରିଷ ତେଲ ନୁହଁ ବରଂ ରିଫାଇନର ମଧ୍ୟ ସମାନ ଅବସ୍ଥା । ନକଲି ତେଲ କାରଖାନା ଠାବ ହେବା ପରେ ଏମିତି ଭୟ ଏବେ ସମସ୍ତଙ୍କୁ ଘାରିଛି । କାରଣ କିଛିଦିନ ବ୍ୟବଧାନ ପରେ ପୁଣି କଟକରେ ଠାବ ହୋଇଛି ନକଲି ତେଲ କାରଖାନା । ପୂର୍ବରୁ ନକଲି ଇଞ୍ଜିନ ଅଏଲ, ସିମେଣ୍ଟ କାରଖାନା, ଗୁଟଖା କାରଖାନା ପରେ ଏବେ ରୋଷେଇ ଘରେ ବିଷ ପହଞ୍ଚାଇବାକୁ ଟିକେ ବି ସଙ୍କୋଚ କରିନାହାନ୍ତି ଲାଭଖୋର ବ୍ୟବସାୟୀ ।
ଜଗତପୁର ଟ୍ରକ ଟର୍ମିନାଲ ପାଖରେ ଚଢ଼ାଉ କରି ପୁଲିସ ଏହି ନକଲି ତେଲ କାରଖାନାର ପର୍ଦ୍ଦାଫାସ କରିଛି । ସେଠାରୁ ୧୦୦ଟିଣ ନକଲି ସୋରିଷ ଓ ରିଫାଇନ ତେଲ ଜବତ ହୋଇଛି । ଘଟଣାରେ ପୁଲିସ କାରଖାନା ମାଲିକ ଅନାଦୀ ଚରଣ ବେହେରାକୁ ଅଟକ ରଖି ପଚରାଉଚରା କରୁଛି । କେଉଁ ଆଡେ ଏହି ନକଲି ନେଟୱାର୍କ ଲମ୍ବିଛି ଓ ଏଥିରେ ଆଉ କେଉଁ କେଉଁମାନେ ଜଡିତ ଅଛନ୍ତି ତାହାର ଚେର ଖୋଜୁଛି । ତେବେ ଏଠାରେ ସୂଚାଇ ଦିଆଯାଇପାରେ, ଗତ ଏପ୍ରିଲ ୩୦ରେ ପୁଲିସ ଖାନନଗର ଅଞ୍ଚଳରେ ଥିବା ଏକ ତେଲ ଗୋଦାମରେ ଚଢ଼ାଉ କରିଥିଲା । ଅପମିଶ୍ରଣ ଅଭିଯୋଗ ପରେ ଏହି ଚଢ଼ାଉ ହୋଇଥିଲା । ସେଠାରୁ ମଧ୍ୟ ୩ଶହରୁ ଅଧିକ ତେଲ ଟିଣ ଜବତ କରାଯାଇଥିଲା ।