ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଶେଷରେ ଚେତିଲେ ସରକାର । ନେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ । ପଣ୍ଡା ଇନଫ୍ରା ଆଉ କରିବ ନାହିଁ ଜଟଣୀ ଓଭରବ୍ରିଜ କାର୍ଯ୍ୟ । ଏହି ସୂଚନା ଦେଇଛନ୍ତି ପୂର୍ତ ବିଭାଗ ସଚିବ । ଜଟଣୀ ଫ୍ଲାଏ ଓଭର ନିର୍ମାଣରେ ଅନିୟମିତତା ଅଭିଯୋଗ ଆସିବା ପରେ ନିଆଯାଇଛି ଏଭଳି କାର୍ଯ୍ୟାନୁଷ୍ଠାନ ।
ଏହା ପୂର୍ବରୁ ଏନେଇ ପଣ୍ଡା ଇନଫ୍ରାକୁ ଏକ ନୋଟିସ ମଧ୍ୟ କରାଯାଇଥିଲା । ନୋଟିସ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସୂଚନା ମିଳିଛି । ତେବେ ବମିଖାଲ ଓଭରବ୍ରିଜ ଭୁଶୁଡିବା ଘଟଣାରେ ବିବାଦ ଘେରକୁ ଆସିଥିଲା ପଣ୍ଡା ଇନଫ୍ରା । ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ପରେ ଓଭରବ୍ରିଜ ନିର୍ମାଣ କାର୍ଯ୍ୟରୁ ପଣ୍ଡା ଇନଫ୍ରାକୁ ବାଦ ଦିଆଯାଇଥିଲା ।
ବାସ ଏହାପରେ ପଣ୍ଡା ଇନଫ୍ରା କାର୍ଯ୍ୟ କରୁଥିବା ବାକି ୩ଟି ସ୍ଥାନକୁ ସ୍କାନରକୁ ନେଇଥିଲେ ରାଜ୍ୟ ସରକାର । କାମ କିଭଳି ଚାଲିଛି ସେନେଇ ଟିକନିକ ଯାଂଚ ଆରମ୍ଭ ହୋଇଥିଲା । ସେପଟେ ପଣ୍ଡା ଇନଫ୍ରାର କାର୍ଯ୍ୟକୁ ନେଇ ଜଟଣୀ ଅଂଚଳରେ ଜନ ଅସନ୍ତୋଷ ମଧ୍ୟ ସାମ୍ନାକୁ ଆସିଥିଲା । ଏହାର ତଦନ୍ତ ପାଇଁ ଭିଜିଲାନ୍ସକୁ ମଧ୍ୟ ଦାୟିତ୍ୱ ଦେଇଥିଲେ ସରକାର । ବାରମ୍ବାର ପଣ୍ଡା ନାଁରେ ଅଭିଯୋଗ ଆଣି ଅସନ୍ତୋଷ ବୃୃଦ୍ଧି ପାଉଥିବାରୁ ଶେଷରେ ତାକୁ ବାଦ ଦିଆଯାଇଛି ।