ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଆଉ ରାଜ୍ୟ ବାହାରେ ନୁହେଁ ଏବେ ରାଜ୍ୟ ଭିତରେ ଚାଲିଛି ଖୋଳତାଡ । କାରଣ ପୁଲିସ ଜାଣିବାକୁ ପାଇଛି ପୂରା ପ୍ଲାନ ହିଁ ରାୟପୁରରୁ ହୋଇଛି । ଆମେ କହୁଛୁ ପାଟନାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣା । ଯାହାର ତଦନ୍ତରେ ଏବେ ପୁଲିସକୁ ଏମିତି କିଛି ସୁରାକ ମିଳିଛି ଯାହାର ଆଧାରରେ ପୁଲିସ ଅଭିଯୁକ୍ତ ପାଖରେ ପହଁଚିବାର ସମ୍ଭାବନା ଦେଖାଦେଇଛି ।
ସିଧା କହିବାକୁ ଗଲେ ପୁଣି ଥରେ ପୁଲିସ ସ୍କାନରକୁ ଆସିଛି କୋରିୟର ସଂସ୍ଥା । ସବୁଠୁ ବଡ଼ କଥା ହେଉଛି ଏତେ ବଡ଼ ଘଟଣାରେ ଯେଉଁ କୋରିୟର ସଂସ୍ଥା ଚୁପ ଥିଲା ଏବେ ଏମିତି କିଛି ତଥ୍ୟ ସେଠାରୁ ମିଳିଛି ଯାହାକୁ ନେଇ ତଦନ୍ତକୁ ପୁଲିସ ଆହୁରି ଜୋରଦାର କରିଥିବା ଜଣାପଡିଛି । ପୂରା ଘଟଣାର ତଦନ୍ତ କରୁଥିବା ୪ଟି ଟିମ ଏବେ ରାୟପୁରରେ ହିଁ ପୂରା ମିଶନ ଚଳାଇଛନ୍ତି ।
ସେପଟେ କୋରିୟର ସଂସ୍ଥା ପାଖରେ ଥିବା ଆଉ ଏକ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜ ପୁଲିସ ହାତରେ ଲାଗିଥିବା ଜଣାପଡିଛି । ଯେଉଁଥିରେ ପାର୍ସଲ ପଠାଇଥିବା ବ୍ୟକ୍ତିଙ୍କ ହୋଲିଆ ରହିଥିବା ଜଣାପଡିଛି । ଯାହା ଘଟଣାକୁ କିଛି ମାତ୍ରରେ ଅଞ୍ଜାମ ଦେବ ବୋଲି ପୁଲିସ ଅନୁମାନ କରୁଛି । ପାର୍ସଲ ପଠାଇଥିବା ଯୁବକଙ୍କ ବୟସ ୩୦ରୁ ୩୫ ହେବ ବୋଲି ଜଣାପଡିଛି । ସେହି ଯୁବକ ଜଣକ ଏକ ଟି-ସାର୍ଟ ସହ ଜିନ୍ସ ପିନ୍ଧିଥିବା କ୍ୟାମେରାରେ କଏଦ ହୋଇଛି । ସେହି ଫୁଟେଜକୁ ଆଧାର କରି ଏବେ ତଦନ୍ତକୁ ଆଗକୁ ବଢ଼ାଇଛି ପୁଲିସ । ପଚରାଉଚରା ବେଳେ ମଧ୍ୟ କୋରିୟର ସଂସ୍ଥା କର୍ମଚାରୀ ସବୁ କିଛି ପୁଲିସ ଆଗରେ ଓଗାଳିଛନ୍ତି ।
ସେପଟେ ଶେଖରଙ୍କ ମୋବାଇଲ ଟ୍ରାକରୁ ମଧ୍ୟ ପୁଲିସ କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି । ଯାହାର ଆଧାରରେ ୩ଜଣଙ୍କୁ ଅଟକ ରଖିଛି ପୁଲିସ । ସମସ୍ତଙ୍କୁ ମାରାଥନ ଜେରା କରାଯାଉଛି । ତେବେ କିଏ ଓ କାହିଁକି ଏଭଳି ଜଘନ୍ୟ କାଣ୍ଡ ଭିଆଇଲେ ସେନେଇ ପୁଲିସ ହାତରେ ସେତେଟା କିଛି ଠୋସ ତଥ୍ୟ ମିଳିନାହିଁ । ଫୋନ କରି ଧମକ ଦେଇଥିବା ସନ୍ଦିଗ୍ଧଙ୍କ ଏବେ ପତ୍ତା ଖୋଜୁଛି ପୁଲିସ । ଏହାରି ଭିତରେ ଘଟଣାକୁ ୧୫ଦିନ ବିତିଯାଇଥିବା ବେଳେ ଏବେ ଅପେକ୍ଷା ଏହି ଘଟଣାର ପର୍ଦ୍ଦାଫାସ କେବେ ହେଉଛି?