ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଯିଏ ଅନ୍ୟର ବିପଦ ବେଳେ ପାଖରେ ଛିଡ଼ା ହେଉଥିଲା । ସହାୟତା ନିମିଳିବା ଯାଏ ସରକାରଙ୍କ କାନରେ କଥାକୁ ପକାଇ ନିଜେ ଲଢ଼େଇ ଜାରି ରଖୁଥିଲା । ଆଜି ସେଭଳି ଜଣେ ସାମ୍ବାଦିକ ବିଲକୁଲ ଅସହାୟ ହୋଇପଡିଛନ୍ତି । ଦୁର୍ଘଟଣାର ଶିକାର ହୋଇ ଏବେ ସେ ମେଡିକାଲର ଆଇସିୟୁରେ ଚିକିତ୍ସିତ । ଗତ ୬ଦିନ ହେବ ସେ ମେଡିକାଲ ବେଡରେ ପଡିଛନ୍ତି ।
ଆମେ କହୁଛୁ ଏକ ପ୍ରମୁଖ ଗଣମାଧ୍ୟମରେ ରିପୋର୍ଟର ଭାବେ କାର୍ଯ୍ୟ କରୁଥିବା ସତ୍ୟଜିତ ଶେଣଙ୍କ ସମ୍ପର୍କରେ । ପଟ୍ଟାମୁଣ୍ଡାରୁ କାର ଯୋଗେ ଭୁବନେଶ୍ୱର ଫେରୁଥିଲେ ସତ୍ୟଜିତ । ସାଲେପୁର ନିଟକରେ ଏକ ବୋଲେରୋ ଗାଡି ସହ ତାଙ୍କର ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ତାଙ୍କ ଦୁଇଟି ଯାକ ଗୋଡ ଭାଙ୍ଗି ଯାଇଛି । ଏବେ ସତ୍ୟଜିତ ଭୁବନେଶ୍ୱରର ଏକ ଘରୋଇ ହସପିଟାଲର ଆଇସିୟୁରେ ଭର୍ତି ହୋଇଛନ୍ତି । ଏପରିସ୍ଥଳେ ତାଙ୍କୁ ସହାୟତାର ହାତ ବଢ଼ାଇବା ଲାଗି ସବୁ ସ୍ତରରେ ଚେଷ୍ଟା ଜାରି ରହିଛି । ତେବେ ସତ୍ୟଜିତ ଚାକିରି କରିଥିବା ସଂସ୍ଥା ସମ୍ପୂର୍ଣ୍ଣ ସହଯୋଗର ହାତ ବଢ଼ାଇଥିବା ଜଣାପଡିଛି ।
ସତ୍ୟଙ୍କ ସମସ୍ତ ଚିକିତ୍ସା ଦାୟିତ୍ୱ କମ୍ପାନୀ ନେଇଥିଲେ ମଧ୍ୟ କେଉଁଠି ନା କେଉଁଠି କିଛି କମି ରହୁଥିବା ଜଣାପଡିଛି । ଡାକ୍ତରଙ୍କ କହିବାନୁସାରେ ତାଙ୍କ ଚିକିତ୍ସା ଲାଗି ପାଖାପାଖି ୫ଲକ୍ଷରୁ ଅଧିକ ଟଙ୍କା ଆବଶ୍ୟକ । ଏପରିସ୍ଥଳେ କମିଶନରେଟ ପୁଲିସର କେତେକ କର୍ମଚାରୀ ମଧ୍ୟ ଏନେଇ ସହଯୋଗର ହାତ ବଢ଼ାଇବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଏହାବାଦ୍ ଯଦି ଅନ୍ୟ କୌଣସି ବ୍ୟକ୍ତି ବା ଅନୁଷ୍ଠାନ ସହାୟତାର ହାତ ବଢ଼ାଇବାକୁ ଚାହୁଁଛନ୍ତି ତେବେ ସେମାନେ ୮୭୬୩୦୫୫୧୯୯ ନଚେତ ୯୪୩୭୦୦୧୬୫୪ ନମ୍ବରରେ ଯୋଗାଯୋଗ କରିବାକୁ ଅନୁରୋଧ । ସବୁଠୁ ଦୁଃଖର କଥା ହେଉଛି ସତ୍ୟଜିତଙ୍କ ମା’ଙ୍କ ଅବସ୍ଥା ବି କିଛି ଭଲ ନାହିଁ । ତାଙ୍କୁ କ୍ୟାନସର ବୋଲି ଜଣାପଡିଛି । ଏପରିସ୍ଥଳେ ପୁଣି ସତ୍ୟଜିତଙ୍କ ଦୁର୍ଘଟଣା ପୂରା ପରିବାର ଲାଗି ବୋଝ ଉପରେ ନଳିତା ବିଡ଼ା ସଦୃଶ୍ୟ ହୋଇଛି ।
ଏଠାରେ ସୂଚନାଯୋଗ୍ୟ, ସାମ୍ବାଦିକଙ୍କ ଲାଗି ସରକାର କାହିଁକି କେତେ ପଦକ୍ଷେପ ନେଉଥିବା କହି ଡିଣ୍ଡିମ ପିଟିବାରେ ଲାଗିଛନ୍ତି । ସେ ଇନ୍ସ୍ୟୁରାନ୍ସ କଥା ହେଉ ଅବା କ୍ୱାଟର ମିଳିବା ଘଟଣା । ସବୁ ଯେପରି କାଗଜ କଲମରେ ରହିଯାଇଛି । ସତ୍ୟଜିତଙ୍କ ଅବସ୍ଥା ଦେଖିଲେ ସରକାର କେବଳ ଭାଣ୍ଡାମି କରୁଥିବା ସ୍ପଷ୍ଟ ହେଉଛି ।