ଭୁୁବନେଶ୍ୱର,୧୬ା୨/(ବ୍ୟୁରୋ) : ରାଜଧାନୀରେ ଶୁଲଭ ମୂଲ୍ୟରେ ଜମି ଦେବାକୁ କହି ୨୪ ଲକ୍ଷ ଟଙ୍କା ଚଳୁ କରିଦେଇଥିବା ଅଭିଯୋଗରେ ଆଜି ଖଣ୍ଡଗିରି ଥାନା ପୁଲିସ ରେଳ ବିଭାଗର ଚିଫ୍ ଇଞ୍ଜିନିୟରଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣଙ୍କ ଖଣ୍ଡଗିରି ଜଗନ୍ନାଥ ବିହାର ଲେନ-୧ରେ ରହୁଥିବା ପ୍ରଶାନ୍ତ କୁମାର ବାଘ ବୋଲି ପୁଲିସ କହିଛି ।
ମିଳିଥିବା ସୂଚନା ମୁତାବକ, ଜଣେ ବ୍ୟକ୍ତିଙ୍କୁ ଶସ୍ତାରେ ରାଜଧାନୀରେ ଜମି ଦେବାକୁ କହି ପ୍ରଶାନ୍ତ ତାଙ୍କ ଠାରୁ ୨୪ ଲକ୍ଷ ଟଙ୍କା ଆଣିଥିଲେ । ହେଲେ ପରବର୍ତ୍ତୀ ସମୟରେ ଉକ୍ତ ଲୋକ ଯେତେବେଳେ ଜମି କାଗଜପତ୍ର ଯାଞ୍ଚ କଲେ ତାହା ପୂର୍ବରୁ ବିକ୍ରି ସରିଥିବା ଜାଣିବାକୁ ପାଇଥିଲେ । ଏହାକୁ ନେଇ ଉକ୍ତ ଲୋକ ପ୍ରଶାନ୍ତଙ୍କୁ ଫେରାଦ ହେବା ସହ ଟଙ୍କା ଫେରସ୍ଥ ମାଗିଥିଲେ । ଅନେକ କୁହାବୋଲା ପରେ ଶେଷରେ ପ୍ରଶାନ୍ତ ଏକ ଚେକ୍ ତାଙ୍କୁ ଦେଇଥିଲେ । ହେଲେ ଏହା ବ୍ୟାଙ୍କରେ ବାଉନ୍ସ ହୋଇଯାଇଥିଲା । କିଛି ଉପାୟ ନପାଇ ଅଭିଯୋଗକାରୀ ଜଣଙ୍କ କୋର୍ଟରେ ଏନେଇ ମାମଲା ରୁଜୁ କରିଥିଲେ । କୋର୍ଟର ନିର୍ଦ୍ଦେଶକ୍ରମେ ପ୍ରଶାନ୍ତଙ୍କ ନାଁରେ ୱାରେଣ୍ଟ୍ ବାହାରିଥିଲା । ଯାହାକୁ ଆଧାର କରି ପୁଲିସ ଆଜି ତାଙ୍କୁ ଗିରଫ କରିଥିବା କହିଛି ।