ଏବେ ମଦକୁ ନେଇ ସାରା ରାଜ୍ୟରେ ମହାଭାରତ । କିଏ କହୁଛି ମଦ ଦୋକାନ ବନ୍ଦ ହେଉ ଆଉ କିଏ କହୁଛି ମଦ ନେଉଛି ଜୀବନ । ହେଲେ ସରକାରଙ୍କ ଆଭିମୁଖ୍ୟକୁ ନେଇ ମଦୁଆ ସବୁ କନଫ୍ୟୁଜନ ହୋଇ ପଡିଛନ୍ତି । ସେମାନେ କ’ଣ କରିବେ ତାକୁ ନେଇ ଏବେ ଚିନ୍ତାରେ ମଦୁଆ ଗୋଷ୍ଠୀ । ଆଉ ଦିନ କେଇଟା ଗଲେ ରାଜ୍ୟରେ ପୁଣି ଲାଗୁ ହେବ ନୂଆ ମୋଟର ଭେଇକିଲ ଆକ୍ଟ । ମଦ ପିଇ ରାସ୍ତାକୁ ବାହାରିଲେ କୋପ କରିବେ ଧନ ଦେବୀ । ଏପଟେ ପୁଣି ସରକାରଙ୍କ ନୂଆ ଯୋଜନା କବାଟ ଖୋଲିଲେ ଦେଖିବ ମଦ ଦୋକାନ ।
କଥାଟା ଆହାର ମୁହଁରେ ପାହାର ଦେଲା ଭଳି ଲାଗୁଛି । ରାଜ୍ୟ ସରକାର ଆଉ କେନ୍ଦ୍ର ସରକାରଙ୍କ ମଧ୍ୟରେ ତାଳ ମେଳ ରହୁନି । ଏମିତି କିଛି କଥାକୁ ନେଇ ମଦୁଆ ଖଟିରେ ଚର୍ଚ୍ଚା ଜୋର ଧରିଛି ।ଏକ ଗୁରୁତ୍ୱପୂର୍ଣ୍ଣ କାମ ନେଇ ଆମେ ସେଇଠି ଉପସ୍ଥିିତ ଥିଲୁ । ଆଉ ସେଠି ଯାହା ଆମେ ଯାହା ଶୁଣିଲୁ ଆପଣ ଶୁଣିଲେ ଟୋଟାଲ ଆପଣଙ୍କ ମୁଣ୍ଡ ଟିଣ ହୋଇଯିବ ।ତାଙ୍କ ଯୁକ୍ତି ରହିିଛି ଡିସେମ୍ବର ୩୧ ପରଠୁ ରାଜ୍ୟରେ ପୁଣି ଲାଗୁ ହେବ ନୂଆ ମୋଟର ଭେଇକିଲ ଆକ୍ଟ । ଯେଉଁଥିରେ ମଦୁଆ ଡ୍ରାଇଭରଙ୍କୁ ସାବାଡ କରିବା ପାଇଁ ରହିଛି କଡା ଆଇନ । ଆଉ ଫାଇନ କଥା ନ କହିଲେ ଭଲ ।
ସାରଙ୍କ ପାଟିରୁ ଯେତେ ବାହାରିବ ଦେଲେ ଭଲ ନ ହେଲେ ମଲ । ସିଧା ମାମୁଁ ଘରେ ଚକି ପେସିବାକୁ ପଡିବ । ସେକଥା ଠିକ ଅଛି ଆମେ ମଦ ପିଇବୁ ନାହିଁ କି ମଦୁଆ ହେବୁ ନାହିଁ । ହେଲେ ଏବେ ସରକାର ଯୋଉ ନୂଆ ନଇଷ୍ପତ୍ତି ନେଉଛନ୍ତି ରାଜ୍ୟରେ ଅଧିକ ମଦ ଦୋକାନ ବସାଇବାକୁ ସେ ସବୁ କୋଉଠି ବସେଇବେ ? ରାସ୍ତା କଡରେ ନାଁ ବାଉଁଶ ବଣରେ । ଆଉ ସବୁ ଠାରୁ ବଡ କଥା ହେଉଛି ସେ ସବୁ ଦୋକାନରୁ ମଦ ପିଇବ କିଏ?
ଯଦି ଆମେ ପିଇବୁ ଆମେ ମଦ ଦୋକାନରୁ ଘରକୁ କେମିତି ଯିବୁ । ଗାଡି ତ ଚଳେଇଲେ ପୁଲିସ ଧରିବ । ଚାଲିକି ଯିବା ପ୍ରଶ୍ନ ଉଠୁନି । ନିଶା ହୋଇଗଲେ ଗୋଟାଏ ଗୋଡ ଭାରତରେ ପଡିଲେ ଆଉ ଗୋଟାଏ ପାକିସ୍ତାନରେ । ସରକାର ଗୋଟେ କାମ କରନ୍ତୁ ୧୦୮ ଭଳିଆ ଗୋଟାଏ ମଦୁଆ ଆମ୍ବୁଲାନ୍ସ ଯୋଜନା କରନ୍ତୁ । ଯୋଉ ଗାଡି ସବୁ ମଦ ଦୋକାନ ଆଗରେ ରହିବ । ଆଉ ମଦ ପିଇ ସାରିବା ପରେ ସେ ଗାଡି ମଦୁଆଙ୍କୁ ସୁରକ୍ଷିତରେ ନେଇ ତାଙ୍କ ଘରେ ଛାଡି ଦେବ । କଥାଟା ଶୁଣି ଆମକୁ ପ୍ରଥମେ ଟିକେ ହସ ମାଡିଲା । ପୁଣି ପରେ କନଫ୍ୟୁଜନ ବି ଲାଗିଲା ।