ଭଦ୍ରକ,(ଏଟିଆରବ୍ୟୁରୋ): ଚିଙ୍ଗୁଡି ବ୍ୟବସାୟୀଙ୍କ ଉପରକୁ ବୋମାମାଡ଼ । ରବିବାର ବିଳମ୍ବିତ ରାତିରେ ଚାନ୍ଦବାଲି ଥାନା ଆମ୍ବିଳା ଗାଁ ନିକଟରେ ଥିବା ବାଲୁକୁରୀ ଛକ ପାଖରେ ଏହି ବୋମାମାଡ଼ ହୋଇଛି । ଯଦିଓ ବୋମାମାଡ଼ ପଛର କାରଣ କ’ଣ ଜଣାପଡି ନାହିଁ ତଥାପି ପୂର୍ବ ଶତ୍ରୁତାକୁ ନେଇ ଏପରି ହୋଇଥିବା ପୁଲିସ ସନ୍ଦେହ କରୁଛି । ଘଟଣାରେ ୨ଜଣ ବ୍ୟବସାୟୀ ଗୁରୁତର ଆହତ ହୋଇଛନ୍ତି । ସେମାନେ ହେଲେ ଗୌରହରୀ ମାଝି ଓ ବସନ୍ତ ସାମଲ ।
ତେବେ ଗୌରହରୀଙ୍କୁ ପାଖ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ବସନ୍ତଙ୍କ ଅବସ୍ଥା ଉଦବେଗଜନକ ରହିବାରୁ ତାଙ୍କୁ କଟକ ପଠାଇ ଦିଆଯାଇଛି । ସେପଟେ କିଏ ଓ କାହିଁକି ଏହି ବୋମାମାଡ଼ କରିଛି ସେନେଇ ତଦନ୍ତ ଆରମ୍ଭ କରିଛି ଚାନ୍ଦବାଲି ପୁଲିସ । ଘଟଣାସ୍ଥଳରୁ ବାଇକ୍ର କିଛି ଭଗ୍ନ ଅଂଶ, ଚପଲ ଓ ରକ୍ତଭିଜା ସାର୍ଟ ପୁଲିସ ଜବତ କରିଛି । ମିଳିଥିବା ରିପୋର୍ଟ ଅନୁସାରେ, ବସନ୍ତ ଓ ଗୌରହରୀ ରାତିରେ ଫେରୁଥିବା ବେଳେ ଅଚାନକ୍ କେହି ଦୁର୍ବୃତ୍ତଙ୍କ ସେମାନଙ୍କୁ ଉପରକୁ ବୋମା ଫିଙ୍ଗିଥିଲା । ବୋମା ପଡିବା ଖବର ସ୍ଥାନୀୟ ଲୋକେ ପାଇବା ପରେ ସଂଗେ ସଂଗେ ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ପହଞ୍ଚି ଗୁରୁତର ଅବସ୍ଥାରେ ଆହତଙ୍କୁ ଉଦ୍ଧାର କରି ହସପିଟାଲ ପଠାଇଥିଲା ।