ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ମୃତଦେହ ପାଖରୁ ମିଳିଲା ଲ୍ୟାପଟପ, ଡଙ୍ଗଲ ଓ ଲେଡିଜ ଚପଲ । ହେଲେ ଅସଲ ଜିନିଷ ମିଳିଲାନାହିଁ । କାରଣ ପୁଲିସ ତଦନ୍ତ କହୁଛି କୌଣସି ଏକ ଅଜଣା କଲ ପାଇ ଉନ୍ମୟ ଘରୁ ବାହାରି ଆସିଥିଲେ । ହେଲେ ଉନ୍ମୟଙ୍କ ପାଖରୁ ସବୁ କିଛି ମିଳିଥିବା ବେଳେ ତାଙ୍କ ମୋବାଇଲ ଫୋନ ଗଲା କୁଆଡେ? ଏଠି ପ୍ରଶ୍ନ ମୋବାଇଲ କ’ଣ ସେ ଘରେ ଛାଡି ପଳାଇ ଆସିଥିଲେ । ଯଦି ହଁ ତେବେ କାହିଁକି ପୁଲିସ ତାକୁ ଜବତ କରିନି । ସେପଟେ ଯଦିବା ଘରେ ନାହିଁ ତେବେ ଅଭିଯୁକ୍ତମାନେ ମୋବାଇଲ ଲୁଚାଇ ରଖିଛନ୍ତି କି? କେବଳ ଏତିକି ନୁହେଁ ସବୁଠୁ ବଡ଼ କଥା ହେଉଛି ଯଦିବା ଅଭିଯୁକ୍ତମାନେ ଲ୍ୟାପଟପଠୁ ନେଇ ଡଙ୍ଗଲ ଫିଙ୍ଗି ଦେଇଗଲେ ତେବେ କାହିଁକି ସେମାନେ ମୋବାଇଲକୁ ଫିଙ୍ଗିଲେ ନାହିଁ ।
ମୋବାଇଲରେ ଏମିତି କିଛି ତଥ୍ୟ ରହିଛି କି’ ଯାହା ହତ୍ୟାକାରୀଙ୍କ ପାଖରେ ପହଁଚିବାକୁ ସିଧା ରାସ୍ତା ହୋଇଯିବ? ଏମିତି ଅନେକ ପ୍ରଶ୍ନ ଉଠୁଥିବା ବେଳେ ପୁଲିସର ତଦନ୍ତକୁ ନେଇ ମଧ୍ୟ ଆଙ୍ଗୁଳି ଉଠିଛି । ଏଟିଆର ଅନୁସନ୍ଧାନ ରିପୋର୍ଟ କହୁଛି, ଉନ୍ମୟ ୨ଟି ମୋବାଇଲ ବ୍ୟବହାର କରୁଥିଲେ । ଯେଉଁ ନମ୍ବରଟି ସେ ସର୍ବାଧିକ ବ୍ୟବହାର କରୁଥିଲେ ସେଥିରେ ସେ କୌଣସି ସୋଶିଆଲ ମିଡିଆରେ ଜଡିତ ନଥିଲେ । ଆଉ ଏକ ନମ୍ବରରେ ସେ ହ୍ୱାଟ୍ସଆପ ବ୍ୟବହାର କରି ଭିଡ଼ିଓ ଭାଇରାଲ କରିଥିଲେ । ଉଭୟ ମୋବାଇଲ ଏବେ ପତା ନମିଳିବା ଅନେକ କଥା ସନ୍ଦେହ ଘେରକୁ ଆସୁଛି । ଶୁଣିବାକୁ ମିଳୁଛି ଉନ୍ମୟଙ୍କ ସହ ତାଙ୍କ ପରିବାର ଲୋକଙ୍କ ମଧ୍ୟ ଏତେଟା ଭଲ ସମ୍ପର୍କ ନଥିଲା । ଯାହାର ତଦନ୍ତ ହେବା ନିହାତି ଆବଶ୍ୟକ ।
କେବଳ ଏତିକି ନୁହେଁ ଭାଇରାଲ ଯୁବତୀଙ୍କୁ ବାଦଦେଲେ ଆଉ କେଉଁ ଯୁବତୀଙ୍କ ସହ ଉନ୍ମୟଙ୍କ ଲିଙ୍କ ନାହିଁ ତ? ଯଦି ଏପରି ହୋଇଥାଏ ତେବେ ପ୍ରତାରଣାର ଏହା ପ୍ରତିଶୋଧ ରୂପ ନୁହେଁ ତ? ଏସବୁ ଘଟଣାର ତଦନ୍ତ କରାଗଲେ ଖୁବ ଶୀଘ୍ର ଏହି ଘଟଣାର ପର୍ଦ୍ଦାଫାସ ହେବ । ସେପଟେ ଘଟଣାର ମୂଳକୁ ଯିବା ଲାଗି କମିଶନରେଟ ପୁଲିସର ଏକ ଟିମ ଚାନ୍ଦବାଲିରେ ପହଁଚି ଖୋଳତାଡ କରୁଛି । ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ରିପୋର୍ଟ କହୁଛି, ଏହି ଘଟଣାରେ ଅଟକ ରହିଥିବା ଲୋକ ନୁହଁନ୍ତି ବରଂ ଆଉ ଜଣେ ଯୁବତୀଙ୍କ ସହ ୨ଜଣ ଯୁବକ ଜଡିତ ରହିଛନ୍ତି । ଯେଉଁମାନେ କି’ ଉନ୍ମୟଙ୍କ ବେଶ ଖାସ ରହିଥିଲେ । କେବଳ ଏତିକି ନୁହେଁ ଯେଉଁ ପ୍ରତେକ୍ଷଦର୍ଶୀଙ୍କ କହିବାନୁସାରେ, ନାଲି ରଂଗର କାର ଥିଲା ତାହା ବାସ୍ତବରେ ଏକ ପର୍ରପଲ ରଂଗର ଗାଡି ବୋଲି ଶୁଣିବାକୁ ମିଳୁଛି ।