ଭୁବନେଶ୍ୱର,(ଏଟିଆରବ୍ୟୁରୋ): ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ସରକାରଙ୍କ ଆଉ ଏକ ନୂଆ ଯୋଜନା । ଯେଉଁ ଯୋଜନା ମାଧ୍ୟମରେ ଆପଣ ବି ଲାଭବାନ ହୋଇପାରିବେ । ଟିକେ ଖବର ଦେଲେ ଆପଣ ପାଇବେ ଟଙ୍କା । ଆପଣ ଭାବୁଥିବେ ଏ କେଉଁ ଯୋଜନା । ଆଜ୍ଞା ହିଁ ସରକାର ଏକ ନୂଆ ଯୋଜନା ଆଣୁଛନ୍ତି ଯାହାର ନାଁ ରହିଛି ‘ଗଜବନ୍ଧୁ’ ଯୋଜନା । ହାତୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି । ଏହି ସୂଚନା ଦେଇଛନ୍ତି ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଅଜୟ କୁମାର ମହାପାତ୍ର ।
ହାତୀଙ୍କ ମୃତ୍ୟୁ ଦିନକୁ ଦିନ ବଢ଼ିବାରେ ଲାଗିଛି । ଫଳରେ କମୁଛି ହାତୀ ସଂଖ୍ୟା । ଖାସ ଏଥିରେ ସୁଧାର ଆଣିବା ଲାଗି ସରକାର ଏଭଳି ନିଷ୍ପତି ନେଇଛନ୍ତି । ଏହି ଯୋଜନା ମାଧ୍ୟମରେ ହାତୀ ଚଳପ୍ରଚଳ କରୁଥିବା ସ୍ଥାନରେ ସିସିଟିଭି ଲଗାଯିବା ସହ ଦୁର୍ଘଟଣା ଘଟୁଥିବା ମୋଟ ୬୫ ସ୍ଥାନରେ ସ୍ପିଡ ବ୍ରେକର ଲଗାଯିବ । ସବୁଠୁ ବଡ଼ କଥା ହେଉଛି ଏହି ଯୋଜନାରେ ସାଧାରଣ ଲୋକଙ୍କୁ ସାମିଲ କରାଯିବାର ଯୋଜନା ରହିଛି । ହାତୀଙ୍କ ସମ୍ପର୍କରେ ଯେଉଁମାନେ ସୂଚନା ଦେବେ, ସେମାନଙ୍କୁ ସରକାର ପୁରଷ୍କୃତ କରିବେ ବୋଲି ସୂଚନା ମିଳିଛି ।