ବାଲେଶ୍ୱର (ଏଟିଆର ବ୍ୟୁରୋ); ତାତିଲେ ଜନତା । ପୋଲିସକୁ ଗୋଡାଇ ଗୋଡାଇ ନିର୍ଦ୍ଧୁମ ଛେଚିଲେ । ବାଲେଶ୍ୱର ଜିଲ୍ଲା ବାଲିଆପାଳ ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଲୋକଙ୍କ ମାଡରେ ବାଲିଆପାଳ ଥାନା ଅଧିକାରୀ ପ୍ରଭୁ କଲ୍ୟାଣ ଆଚାର୍ଯ୍ୟ ଆହତ ହୋଇଥିବା ଜଣା ପଡିଛି । ସ୍ଥାନୀୟ ଅଞ୍ଚଳରେ ହୋଟେଲରେ କାମ କରୁଥିବା ଜଣେ ଛୁଆର ସନ୍ଦେହଜନକ ମୃତ୍ୟୁ ହୋଇଥିବାରୁ ପୋଲିସକୁ ଆକ୍ରମଣ କରିଥିଲେ ସ୍ଥାନୀୟ ଲୋକ । ପୋଲିସ ବିଳମ୍ବରେ ପହଁଞ୍ଚିଥିବାରୁ ଲୋକମାନେ ଉତ୍ୟକ୍ତ ହୋଇ ମାଡ ମାରିଥିବା ଜଣା ପଡିଛି ।
ବାଲିଆପାଳ ଥାନା ଅନ୍ତର୍ଗତ ଇଡକୋ ଛକରେ ଏକ ଢ଼ାବାରେ ଜଣେ ନାବାଳକଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା । ମୃତ ନାବାଳକ ହେଲେ ବିଜୟ ଦଳାଇ । ତାଙ୍କ ଘର ଉଲୁଡା ଗାଁରେ ବୋଲି ଜଣା ପଡିଛି । ତେବେ ଢ଼ାବାରେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା । ତାଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦିଆଯାଉଛି ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ।
ଏହି ମୃତ୍ୟୁ ଖବର ପୋଲିସକୁ ଖବର ଦେଇଥିଲେ ସୁଦ୍ଧା ପହଁଞ୍ଚିବାରେ ବିଳମ୍ବ ହୋଇଥିଲା । ଯେଉଁ କାରଣରୁ ଗାଁଲୋକ ରାଗି ଯାଇଥିଲେ । ଏବଂ ସେମାନେ ଦାବି କରିଛନ୍ତି କି ଢ଼ାବା ମାଲିକଙ୍କୁ ଗିରଫ କରାଯାଉ । ପୋଲିସବାବୁମାନେ ପହଁଞ୍ଚିବା ପରେ ସ୍ଥାନୀୟ ଲୋକ ସେମାନଙ୍କ ସହ ଯୁକ୍ତିତର୍କ କରିଥିଲେ । ପରେ ମାଡ ମାରିବା ପାଇଁ ଗୋଡାଇଥିଲେ । ଥାନା ଅଧିକାରୀ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲେ । ତଳେ ପଡି ସେ ମାଡ ନମାରିବା ପାଇଁ ଅନୁରୋଧ ମଧ୍ୟ କରିଥିଲେ ।