ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ତଦନ୍ତ ଯେତିକି ଆଗଉଛି ସେତେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏବେ ପୁଲିସକୁ ମିଳିଛି ଏକ ସାଙ୍ଘାତିକ ତଥ୍ୟ । ରୀମାଙ୍କୁ ବିବାହ ନକରିବା ଲାଗି ଶେଖରଙ୍କୁ ଯେଉଁ ସନ୍ଦିଗ୍ଧ ଯୁବକ ଧମକ ଦେଇଥିଲେ ସେଥିରେ ଆଉ ଜଣେ ସନ୍ଦିଗ୍ଧ ମଧ୍ୟ ସମ୍ପୃକ୍ତ ଥିବା ପୁଲିସ ଏବେ ଜାଣିବାକୁ ପାଇଛି । କେବଳ ଏତିକି ନୁହେଁ ସନ୍ଦିଗ୍ଧ ଯୁବକ ଜଣଙ୍କ ଜଣେ ଇଂଜିନିୟର ବୋଲି ଏବେ ପୁଲିସକୁ ଠୋସ ପ୍ରମାଣ ମିଳିଛି । ସେହି ପ୍ରମାଣ ଆଧାରରେ ଅଭିଯୁକ୍ତର ନିକଟତର ହେଉଛି ପୁଲିସ ।
ଖୁବ ଶୀଘ୍ର ତାକୁ ଧରାଯିବ ବୋଲି ସୂଚନା ମିଳିଛି । ସେପଟେ ପାର୍ସଲ ବୋମା ଘଟଣାରେ ଗଠନ ହୋଇଥିବା ୪ଟି ଟିମ ଏବେ ପୂରା ରାୟପୁର ଖେଦୁଛନ୍ତି । ଏହି ଛାନିଭିନରେ ଆଉ ଏକ ନୂଆ ତଥ୍ୟ ମଧ୍ୟ ପୁଲିସ ହାତରେ ଲାଗିଛି । ନିର୍ବନ୍ଧ ପରେ ଶେଖରଙ୍କ ମୋବାଇଲକୁ ୨ଥର ଧମକ ପୂର୍ଣ୍ଣ କଲ ଆସିଥିଲା । ତେବେ ସେହି କଲ ଟ୍ରାକ କରିବା ପରେ ମୋବାଇଲ ଠିକଣା ନକଲି ବୋଲି ଜଣାପଡିଛି । ଏହାସହ କଲଟି ରାୟପୁର ବାହାରୁ ଆସିଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ ଜଣାଇଛନ୍ତି । ପାର୍ସଲ ବୋମା ଘଟଣାର ବୁଢ଼ିଆଣୀ ଜାଲରୁ ମୁକୁଳିବା ଲାଗି ପୁଲିସ ଏବେ ୪ଜଣ ସାଇବର ବିଶେଷଜ୍ଞଙ୍କ ସହାୟତା ଲୋଡିଛି ।
କାହିଁକି କେଉଁ ପରିସ୍ଥିତିରେ ଓ କେବେ ଶେଖରଙ୍କ ଫେସବୁକ ଆକାଉଣ୍ଟ ଡିଲିଟ ହେଲା ସେନେଇ ଖୋଳତାଡ କରୁଛି ଟିମ । ସିଧା କହିବାକୁ ଗଲେ ବର୍ତ୍ତମାନ ପୂରା ସୋସିଆଲ ମିଡିଆକୁ ଘାଁଟୁଛି ସାଇବର ବିଶେଷଜ୍ଞ ଟିମ । ସେପଟେ କୋରିୟର ସଂସ୍ଥା ପାଖରେ ଥିବା ଏକ ଦୋକାନରୁ ଯେଉଁ ସିସିଟିଭି ଫୁଟେଜକୁ ପୁଲିସ ଜବତ କରିଥିଲା ତାହାର ମଧ୍ୟ ଖୋଳତାଡ ଆରମ୍ଭ ହୋଇଛି । ଫୁଟେଜରୁ ମିଳିଥିବା ସନ୍ଦିଗ୍ଧର ବୟସ ୩୦/୩୫ ହେବ ବୋଲି ଜଣାପଡିଥିବା ବେଳେ ସେପଟେ ଧମକ କଲ ଆସିଥିବା ଡକ୍ୟୁମେଣ୍ଟରେ ମଧ୍ୟ ଯୁବକର ବୟସ ସେହି ସମାନ ରହିଥିବା ଜଣାପଡିଛି । ତେଣୁ କେଉଁଠି ନା କେଉଁଠି କିଛି ଲିଙ୍କ ରହିଥିବା ଏବେ ପୁଲିସ ସନ୍ଦେହ କରୁଛି ।
ଏସବୁ ପରେ ମଧ୍ୟ ଆଉ ଏକ ଘଟଣା ପୁଲିସକୁ ଦ୍ୱନ୍ଦରେ ପକାଇଛି । ନିର୍ବନ୍ଧ ପୂର୍ବରୁ ଜଣେ ଇଂଜିନିୟର ଯୁବକ ରୀମାଙ୍କୁ ପ୍ରେମ କରୁଥିବାର ଆଭାସ ପାଇଛି ପୁଲିସ । ତେବେ ଏହା ଏକ ତରଫା କି କ’ଣ ତାହା ସ୍ପଷ୍ଟ ହୋଇନାହିଁ । ସେହି ଇଂଜିନିୟର ଯୁବକ ହୁଏତ ଶେଖରଙ୍କୁ ଧମକ କଲ ଦେଇଥାଇ ପାରନ୍ତି ବୋଲି ପୁଲିସ ଅନୁମାନ କରୁଛି । ପୂର୍ବରୁ ଅଟକ ଥିବା ଯୁବକର ପଲିଗ୍ରାଫ ଟେଷ୍ଟ ହେବାର ଯୋଜନା ମଧ୍ୟ ଜୋରଦାର ଚାଲିଥିବା ଜଣାପଡିଛି । ଏପରି ପରିସ୍ଥିତିରେ କେବଳ ଅପେକ୍ଷା, ଏହି ହାଇପ୍ରୋଫାଇଲ କେସର ପର୍ଦ୍ଦାଫାସ କେବେ ହେଉଛି?