କଟକ (ଏଟିଆର ବ୍ୟୁରୋ ) ; ଗଞ୍ଜେଇ ବେପାରକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ । ଫଳରେ ଚାଲିଗଲା ଜଣକର ଜୀବନ । ଏଭଳି ଅଭାବନୀୟ ଘଟଣା କଟକ ଜିଲ୍ଲା ବଡମ୍ବା ଥାନା ଅନ୍ତର୍ଗତ ମଣିଆବନ୍ଧ ଅଞ୍ଚଳରେ । ମୃତ ବ୍ୟକ୍ତି ଜଣକ ବିକାଶ ସାହୁ ବୋଲି ଜଣା ପଡିଛି । ଅନ୍ୟପଟେ ଗଣ୍ଡଗୋଳରେ ଇନ୍ଦ୍ରମଣି ନାମକ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇ କଟକ ବଡ ମେଡିକାଲରେ ଭର୍ତ୍ତୀ ହୋଇଥିବା ଜଣା ପଡିଛି ।
ଖବର ଅନୁସାରେ , ନୁଆପାଟଣା ଅଞ୍ଚଳରେ ଗଞ୍ଜେଇ ବେପାର କରୁଥିବା ଦୁଇ ଗୋଷ୍ଠୀ ଗତକାଲି ରାତିରେ ମଣିଆବନ୍ଧ ଅଞ୍ଚଳରେ ଭେଟାଭେଟି ହୋଇଥିଲେ । ଉଭୟ ଗୋଷ୍ଠୀ ମଧ୍ୟରେ ବେଶ କିଛି ସମୟ ବଚସା ହୋଇଥିଲା । ତେବେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ବଚସା ପରେ ଉଗ୍ର ରୂପ ଧାରଣ କରିଥିଲା । ହଠାତ ସମସ୍ଥେ ଗଣ୍ଡଗୋଳରେ ସାମିଲ ହୋଇ ପରସ୍ପରକୁ ମାରଣାନ୍ତକ ଆକ୍ରମଣ କରିଥିଲେ । ଏପରିକି ଏକ ଗୋଷ୍ଠୀ ଅନ୍ୟ ଏକ ଗୋଷ୍ଠୀ ଉପରକୁ ବୋମା ମାଡ ମଧ୍ୟ କରିବାକୁ ପଛାଇଲା ନାହିଁ । ତେବେ ବୋମା ମାଡ ଯୋଗୁ ଇନ୍ଦ୍ରମଣି ଓ ତାଙ୍କ ଗୋଷ୍ଠୀ ଗଣ୍ଡଗୋଳ ସ୍ଥଳରୁ ପଳାଇ ଯାଇଥିଲେ । ହେଲେ ଇନ୍ଦ୍ରମଣି ଗୋଷ୍ଠୀର ବିକାଶ ସାହୁ ଘଟଣା ସ୍ଥଳରେ ରହିଯାଇଥିଲେ । ତେବେ ତାଙ୍କୁ ଅନ୍ୟ ଗୋଷ୍ଠୀର ଲୋକମାନେ ପିଟିପିଟି ମାରିଦେଇଥିବା ଆଭିଯୋଗ ହୋଇଛି । ଅନ୍ୟପଟେ ମୃତ ବିକାଶଙ୍କ ମୃତଦେହକୁ ବ୍ୟବଛେଦ ପାଇଁ ପୋଲିସ ବଡମ୍ବା ଡାକ୍ତରଖାନାକୁ ପଠାଇଥିବା ବେଳେ ଗଣ୍ଡଗୋଳରେ ଏଯାଏଁ ୪ ଜଣ ଗିରଫ ହୋଇଥିବା ଜଣାପଡିଛି ।