ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଗତ ୨୧ ତାରିଖରେ ଫ୍ଲାଇଂ ସ୍କ୍ୱାଡ ମାଜିଷ୍ଟ୍ରେଟଙ୍କୁ ଆକ୍ରମଣ ଅଭିଯୋଗରେ ଗିରଫ ହୋଇଥିବା ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କ ଜାମିନ ଆବେଦନର ଆଜି ରହିଛି ଶୁଣାଣୀ । ଗତ ୨୪ ତାରିଖରେ କୋର୍ଟରେ ମହାରଥୀଙ୍କ ଜାମିନ ଆବେଦନର ଶୁଣାଣୀ ରହିଥିଲା । ମାତ୍ର ସେଦିନ କେସ୍ ଡାଏରୀ ଦାଖଲ ହୋଇନଥିବାରୁ ଅଦାଲତ କେସର ଶୁଣାଣୀ ଆଜିକି ଘୁଞ୍ଚାଇଥିଲେ ।
ଏହି ମାମଲାର ଶୁଣାଣି କରିବେ ସ୍ୱତନ୍ତ୍ର ଅଧିକୃତ କୋର୍ଟ । ଗତ ୨୧ ତାରିଖ ରାତିରେ ପ୍ରଦୀପ ମହାରଥୀଙ୍କ ଫାର୍ମ ହାଉସରେ ସ୍କ୍ୱାଡ ଚଢାଉ କରିବା ବେଳେ ସେଠାରେ ଫ୍ଲାଇସ୍କ୍ୱାଡ କର୍ମଚାରୀଙ୍କ ସମେତ ମାଜିଷ୍ଟ୍ରେଟଙ୍କ ଉପରେ ଆକ୍ରମଣ ହୋଇଥିଲା ଏବଂ କ୍ୟାମେରା ଭଙ୍ଗା ଯାଇଥିଲା । ଯେଉଁଥିରେ ମାଜିଷ୍ଟ୍ରେଟ ଆହତ ହୋଇଥିଲେ । ଏ ନେଇ ମାମଲା ରୁଜୁ ହେବା ପରେ ପୁଲିସ ମହାରଥୀଙ୍କୁ ପଚରା ଉଚରା କରିବା ସହିତ ଗିରଫ କରିଥିଲା ।
ପ୍ରଦୀପଙ୍କ ନାମରେ ପୋଲିସ ଦଫା ୩୦୭, ୩୫୩,୩୪୧,୩୩୨ , ୧୪୭, ୧୪୮, ୧୪୯ ଦଫା ଲଗାଇଥିଲା ।ଏଥି ସହିତ ଲୋକ ପ୍ରତିନିଧି ଆଇନ ୧୨୩ ରେ ମଧ୍ୟ ମାମଲା ରୁଜୁ କରିଥିଲା । ଗତ ୨୨ ତାରିଖରେ ପୋଲିସ ମହାରଥୀଙ୍କୁ ଗିରଫ କରିଥିଲା । ଗତ ୨୩ ତାରିଖରେ ହୋଇଥିବା ତୃତୀୟ ପର୍ଯ୍ୟାୟ ଭୋଟରେ ସେ ମତଦାନ କରିପାରି ନଥିଲେ । ମହାରଥୀ ବିଜେଡିରୁ ପିପିଲି ବିଧାୟକ ଅଛନ୍ତି । ଚଳିତ ଥର ମଧ୍ୟ ସେ ବିଜେଡି ଟିକେଟରୁ ପିପିଲି ବିଧାନ ସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି ।