ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଅସତ୍ୟ ଉପରେ ସତ୍ୟର ବିଜୟ କରିବା ପାଇଁ ମା’ ଦୁର୍ଗା ଧରାପୃଷ୍ଠରେ ଅବତରଣ କରନ୍ତି । ବିଜୟା ଦଶମୀ ଦିନ ପର୍ଯ୍ୟନ୍ତ ଖୁବ ଧୁମ ଧାମରେ ମା’ ବିଭିନ୍ନ ମଣ୍ଡପ ଓ ପିଠରେ ପୂଜା ପାଆନ୍ତି । ବିଜୟା ଦଶମୀ ପରେ ମା’ ବିଦାୟ ନିଅନ୍ତି । ଆଜି ମା’ ଦୁର୍ଗା ଙ୍କର ଭସାଣି ଉତ୍ସବ । ଏଥିପାଇଁ ସବୁ ପ୍ରସ୍ତୁତ ମଧ୍ୟ ସରିଛି । ମା’ଙ୍କୁ ବିଦାୟ ଦେବା ପାଇଁ କଟକ ଓ ଭୁବନେଶ୍ୱରରେ ବିଭିନ୍ନ ଯାଗା ଅସ୍ଥାୟୀ ପୋଖରି ତିଆରି କରାଯିବା ସହ କମିସନରେ ପୋଲିସ ଦ୍ୱାରା ବ୍ୟାପକ ବ୍ୟବସ୍ଥା କରାଯାଇଛି ।
କଟକ ସହରରେ ଭସାଣି ଉତ୍ସବ ପାଇଁ ୫୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଏହା ସହ ୩୦୦ ସହ ଅଫିସର, ୪ ଜଣ ଅତିରିକ୍ତ ଡିସିପି, ରାପିଡ ଆକ୍ସନ ଫୋର୍ସ, ଷ୍ଟ୍ରଇକିଂ ଫୋର୍ସ ମଧ୍ୟ ମୁତୟନ କରା ଯାଇଛି ।
ସେହିପରି ରାଜଧାନୀ ଭୁବନେଶ୍ୱରରେ ମା’ଙ୍କର ଭସାଣି ଯାତ୍ରା ୩ଟି ଯାଗାରେ ଆରମ୍ଭ ହେବ । ନୟାପଲ୍ଲୀରେ ୨୦ ଟି ମେଢ, ସହିଦ ନଗର ପଡିଆରେ ୨୫ଟି ମେଢ ଏକାଠି ହୋଇ ସାରିଲା ପରେ ଶୋଭାଯାତ୍ରା ଆରମ୍ଭ କରାଯିବ । ସେହିପରି ଚନ୍ଦ୍ରଶେଖର ପୁର ଆରଟିଓ ପଡିଆରେ କିଛି ମେଢ ଏକାଠି ହୋଇ ଭସାଣ ଉତ୍ସବ ଆରମ୍ଭ କରିବେ । କୁଆଖାଇ ଓ ଦୟା ନଦୀରେ ଭସାଣ କରିବା ପାଇଁ ଅସ୍ଥାୟୀ ପୋଖରୀ ନିର୍ମାଣ କରାଯାଇଛି ।ଭସାଣ ଉତ୍ସବ କିପରି ଭଲ ଭାବରେ ପାଳନ କରାଯିବ ସେଥିପାଇଁ କମିସନରେଟ ପୋଲିସ ଦ୍ୱାରା ଟ୍ରାଫିକ ବ୍ୟବସ୍ଥାକୁ କଡାକଡି କରାଯାଇ ୩୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।