ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଅଧର୍ମ ଉପରେ ଧର୍ମର ଜୟ ପାଇଁ ଦଶହରା ଉତ୍ସବ ପାଳନ କରାଯାଇଥାଏ । ସେହିପରି ଲଙ୍କାପତି ରାବଣ ଜଣେ ମହାନ ଯୋଦ୍ଧା, ପ୍ରଖ୍ୟାତ ପଣ୍ଡିତ ଥିଲେ ସତ କିନ୍ତୁ ଏହା ସହିତ ତାର ଦୁନିଆ ବି ସମ୍ପୂର୍ଣ୍ଣ ରହସ୍ୟ ମୟ ଥିଲା । ରାବଣ ର ଜନ୍ମଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ଏଭଳି ଅନେକ ରହସ୍ୟ ରହିଛି , ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଦଶହରା ଅବସରରେ ଆଜି ଆମେ ଆପଣଙ୍କୁ ଲଙ୍କାପତି ରାବଣର କିଛି ଖାସ୍ ରହସ୍ୟ ବିଷୟରେ କହିବାକୁ ଯାଉଛୁ, ତେବେ ଆସନ୍ତୁ ଜାଣିବା..
ପ୍ରଥମ ରହସ୍ୟ ହେଉଛି ରାବଣ ର ପିତା ଜଣେ ଋଷି ଏବଂ ମାତା ଜଣେ ରାକ୍ଷସୀ ଥିଲେ । ଜନ୍ମ ସମୟରେ ରାବଣ ଦେଖିବାକୁ ଏତେ ଭୟଙ୍କର ହୋଇଥିଲେ କି ଏହାକୁ ଦେଖି ତାଙ୍କ ପିତା ବି ଡରି ଯାଇଥିଲେ । ସେହିପରି ବାଲ୍ମିକୀ ରାମାୟଣ ଅନୁସାରେ ରାବଣ ର ରଥରେ ଅଶ୍ୱ ନୁହେଁ ବରଂ ଗଧ ଯୋଚା ହେଉଥିଲା ।
ଦେବଲୋକରେ ରାବଣ ବିଜୟ ହାସଲ କରିବା ପରେ ଯମଲୋକ ଉପରେ ଆକ୍ରମଣ କରିଥିଲେ । ସେହିପରି ବ୍ରହ୍ମାଙ୍କ ବରଦାନ ଯୋଗୁଁ ଯମରାଜଙ୍କୁ ପରାଜିତ କରି ଯମଲୋକ ଅଧିକାର କରିଥିଲେ ଏବଂ ନର୍କ ଭୋଗ କରୁଥିବା ଆତ୍ମାକୁ ନିଜ ସେନାରେ ସାମିଲ କରିଥିଲେ ।
ସେହିପରି ରାବଣଙ୍କର ଭାଇ ଥିଲେ ଭଗବାନ କୁବେର । ରାବଣ ଲଙ୍କାରୁ କୁବେରଙ୍କୁ ଭଗାଇବା ସହିତ ତାଙ୍କ ପୁଷ୍ପକ ବିମାନ ଛଡାଇ ନେଇଥିଲେ । ଏହାବ୍ୟତିତ ଜ୍ୟୋତିଷ ଶାସ୍ତ୍ରର ପ୍ରଖ୍ୟାତ ବିଦ୍ୱାନ ଥିଲେ ରାବଣ । ନିଜ ପୁତ୍ରକୁ ଅଜେୟ କରିବା ପାଇଁ ସେ ନବଗ୍ରହଙ୍କୁ ଆଦେଶ ଦେଇଥିଲେ କି ସେ ତାଙ୍କ ପୁତ୍ର ମେଘନାଦର କୁଣ୍ଡଳୀ ରେ ସଠିକ୍ ଭାବେ ବସିବେ । ତାଙ୍କର ଏହି ଆଦେଶକୁ ଶନିଦେବ ନମାନିବାରୁ ରାବଣ ତାଙ୍କୁ ବନ୍ଦୀ କରିଦେଇଥିଲେ ।