କଟକ (ଏଟିଆର ବ୍ୟୁରୋ): ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଡକ୍ଟର ଜଷ୍ଟିସ ଦୁର୍ଗା ପ୍ରସନ୍ନ ଚୌଧୁରୀ ହେଲେ ରାଜ୍ୟ ଖାଉଟି ବିବାଦ ସମାଧାନ ଆୟୋଗର ସଭାପତି । ଆଜି କଟକସ୍ଥିତ ଖାଉଟି କମିସନରେ ପହଞ୍ଚି ସେ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଗତ ଜାନୁଆରି ୨୩ ତାରିଖରେ ସଭାପତି ପଦରୁ ଜଷ୍ଟିସ ବି.କେ. ପଟେଲ ଅବସର ଗ୍ରହଣ କରିଥିଲେ । ସେବେଠାରୁ ଏକ ମାସେରୁ ଅଧିକ ଦିନ ହେବ ପଦବୀ ଖାଲି ପଡିଥିବା କାରଣରୁ ଅନେକ ମାମଲାର ଶୁଣାଣି ଏକ ପ୍ରକାରର ବନ୍ଦ ହୋଇଯାଇଛି । ତେବେ ଆଜି ସଭାପତି ଭାବେ ଜଷ୍ଟିସ ଚୌଧୁରୀଙ୍କ ନିଯୁକ୍ତି ପରେ ଏହି ଅଚଳାବସ୍ଥା ଦୂର ହେବ ବୋଲି ଆଶା କରାଯାଉଛି ।
ଏହାସହ ଖାଉଟିମାନଙ୍କର ଅନେକ ଦିନ ହେବ ପଡିରହିଥିବା ମାମଲାଗୁଡିକର ଶୁଣାଣି ଶୀଘ୍ର ହୋଇପାରିବ ବୋଲି ଆଶା କରାଯାଉଛି । ଖାଉଟି କମିସନର ଅଫିସରେ ପହଞ୍ଚି ପରେ ସେଠାରେ ଜଷ୍ଟିସ ଦୁର୍ଗା ପ୍ରସନ୍ନ ଚୌଧୁରୀଙ୍କୁ କଞ୍ଜୁମର ବାର ଆସୋସିଏସନ ସଭାପତି ଆଇନଜୀବୀ କରୁଣାକର ଜେନା , ସଂପାଦକ ଅଶ୍ୱନୀ ସାହୁ, ବରିଷ୍ଠ ସଦସ୍ୟ ଅକ୍ଷୟ ସାମଲ ରୋହିଣୀକାନ୍ତ ପଟ୍ଟନାୟକ ପ୍ରମୁଖ ସ୍ୱାଗତ କରିବା ସହିତ ସମ୍ବର୍ଦ୍ଧିତ କରିଥିଲେ । ଜଷ୍ଟିସ ଦୁର୍ଗା ପ୍ରସନ୍ନ ଚୌଧୁରୀ ୨୦୧୫ ଏପ୍ରିଲ ୧୭ରୁ ୨୦୧୮ ଜୁଲାଇ ୩ ପର୍ଯ୍ୟନ୍ତ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ହୋଇଥିଲେ । ତେବେ ବିଚାରବିଭାଗରେ ଦୀର୍ଘ ୩୭ ବର୍ଷର ଅଭିଜ୍ଞତା ଥିବା ଜଷ୍ଟିସ ଚୌଧୁରୀଙ୍କୁ ଖାଉଟି କମିସନରେ ସଭାପତି ଭାବେ ଦାୟିତ୍ବ ପ୍ରଦାନକୁ ଆଇନଜୀବୀମାନଙ୍କ ପକ୍ଷରୁ ସ୍ବାଗତ କରାଯାଇଛି।