ଭୁବନେଶ୍ୱର (ଏଟିଆର ବ୍ୟୁରୋ); କୃଷକଙ୍କ ପାଇଁ ରାଜ୍ୟ ସରକାର ଘୋଷଣା କରିଥିବା କାଳିଆ ଯୋଜନା ସୋମବାର ଠାରୁ ଆରମ୍ଭ ହେବାକୁ ଯାଉଛି । ସଂନ୍ଧ୍ୟାରେ ସଚିବାଳୟରେ ଏହି ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଯୋଜନାରେ ରାଜ୍ୟର ୩୦ ଲକ୍ଷ ଚାଷୀ ଉପକୃତ ହେବେ । ଏଥିରେ ରାଜ୍ୟ ସରକାର ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କାଳିଆ ଯୋଜନାରେ ଚାଷୀଙ୍କୁ ୫୦ ହଜାର ଟଙ୍କା ପର୍ୟ୍ୟନ୍ତ ଫସଲ ଋଣ ବିନା ସୁଧରେ ଦିଆଯିବ। ଏଥିପାଇଁ ଆଗାମୀ ୩ ବର୍ଷରେ ୧୦ ହଜାର ୧୮୦ କୋଟି ଟଙ୍କା ଖର୍ଚ୍ଚ ହେବ। ଆସନ୍ତା ତିନି ବର୍ଷ ପର୍ଯ୍ୟନ୍ତ ଏହି ଯୋଜନା କାର୍ୟ୍ୟକାରୀ କରିବା ପାଇଁ ମଂଜୁରି ଦେଇଛି କ୍ୟାବିନେଟ୍ । ଖରିଫ ଓ ରବି ଋତୁରେ ୫ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯିବ। ସେହିପରି ଭୂମିହୀନ ଚାଷୀଙ୍କୁ ଛେଳି, ଛତୁ, କୁକୁଡ଼ା, ମାଛ ଚାଷ ପାଇଁ ପ୍ରୋତ୍ସାହନ ଦିଆଯିବ। ପରିବାର ପିଛା ୧୨ହଜାର ୫ଶହ ଟଙ୍କା ଦିଆଯିବ।
ରାଜ୍ୟ ସରକାରଙ୍କ ଏଭଳି ଏକ ଯୋଜନାକୁ ରାଜ୍ୟବାସୀ ଖୁବ ପ୍ରଂଶସା କରିଥିବା ବେଳେ ରାଜ୍ୟ ବାହାରୁ ମଧ୍ୟ ମୁଖ୍ୟମନ୍ତ୍ରୀ ଏଭଳି ଏକ ଯୋଜନାକୁ ତାରିଫ କରିଛନ୍ତି । ସବୁବେଳେ ନବୀନ ଗୋଟିଏ ପରେ ଗୋଟିଏ ଯୋଜନା କରି ଚଚ୍ଚାକୁ ଆସିଥାନ୍ତି । ସେ ଗ୍ରାମ୍ୟ ସଡକ ଯୋଜନା ହେଉ ବା ରାତିରେ ଆହାର । ତେବେ ରାଜ୍ୟ ସରକାରଙ୍କ ଏହି କାଳିଆ ଯୋଜନାକୁ ବିରୋଧ କରିଛନ୍ତି ବିରୋଧୀ କଂଗ୍ରେସ ଏବଂ ବିଜେପି । ନିକଟରେ ପ୍ରକାଶ ପାଇଥିବା ୫ଟି ରାଜ୍ୟରୁ କଂଗ୍ରେସ ୩ଟି ରାଜ୍ୟରେ ସରକାର ଗଢ଼ିଛି । ତେବେ ଏହି ସରକାର ଗଢ଼ିବାର ମୁଖ୍ୟ କାରଣ ହେଉଛି କୃଷି ଋଣ ଛାଡ କରିବା ଏବଂ କୃଷକଙ୍କ ପାଇଁ ଉନ୍ନତିମୂଳକ କାର୍ଯ୍ୟ । ଏଣୁ ରାଜ୍ୟ ସରକାର ମଧ୍ୟ ଏଭଳି ଯୋଜନା ଘୋଷଣା କରି ୨୦୧୯ ନିର୍ବାଚନ ପାର ହେବା ପାଇଁ ଚାହୁଁଛନ୍ତି ବୋଲି ଅଭିଯୋଗ କରିଛନ୍ତି ବିରୋଧୀ ଦଳମାନେ ।