ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଆଜିଠୁ ଆରମ୍ଭ ହୋଇଛି କୁମ୍ଭମେଳା । ସକାଳୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁମାନେ ବୁଡ ପକାଇ ପୂର୍ଣ୍ଣ ଅର୍ଜନ କରିଛନ୍ତି । ସେପଟେ ଦୀର୍ଘଦିନ ଧରି ଅପେକ୍ଷା କରିଥିବା ରାଜଧାନୀ ଯାତ୍ରା ପ୍ରେମୀଙ୍କ ଅନ୍ତ ଘଟିବ । ଆସନ୍ତା ୧୪ ତାରିଖରୁ ଖଣ୍ଡଗିରି ମାଘମେଳାରେ ଯାତ୍ରା ପାର୍ଟିମାନେ ନିଜର ଜଲବା ଦେଖାଇବେ । ସାଧାରଣତଃ ସବୁ ଯାତ୍ରା ପାର୍ଟି ଖଣ୍ଡଗିରିରେ ନାଟକ ପରିବେଶଣ କରିବା ପାଇଁ ଚାହିଁ ବସିଥାନ୍ତି । ଏଠାରେ ବହୁ ସଂଖ୍ୟକ ଦର୍ଶକଙ୍କ ଭିଡ ଜମୁଥିବା ବେଳେ ଏଠାରେ ଯାତ୍ରା ପାର୍ଟିଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥାଏ ।
ଚଳିତ ବର୍ଷ ଏଠାରେ ୧୧ଟି ଯାତ୍ରା ପାର୍ଟି ଭାଗ ନେବେ ବୋଲି ସୂଚନା ମିଳିଛି । ଏହି ପାର୍ଟିମାନେ ସବୁ ବର୍ଷ ଭଳି ଏହି ବର୍ଷ ମଧ୍ୟ ଦୁଇଟି ପର୍ଯ୍ୟାୟରେ ଭାଗ ନେବେ । ପ୍ରଥମ ପର୍ଯ୍ୟାୟରେ ଚାରିଟି ପାର୍ଟି ଭାଗ ନେବେ । ପ୍ରଥମ ପର୍ଯ୍ୟାୟରେ ଶୀବାନୀ,ସ୍ୱର୍ଣ୍ଣମହଲ,ଧଉଳି ଏବଂ ଗୌରୀ ପ୍ରଥମ ପର୍ଯ୍ୟାୟରେ ଯାତ୍ରା ମଇଦାନକୁ ଓହ୍ଲାଇବେ । ଏଥରକ ପ୍ରଥମଥର ପାଇଁ ବରମୁଣ୍ଡା ପଡିଆ ଛାଡି ବିଜୁ ପଟ୍ଟନାୟକ ଖେଳ ପଡିଆରେ ନାଟକ ପରିବେଶଣ କରିବ ଶୀବାନୀ । ଚଳିତ ବର୍ଷ ‘ରଜନୀ ସଜନୀ ରାତି ପାହିଲା’ଏବଂ ‘ବରଣୀ କନିଆ ବରଷା ରାଣୀ’ ନାଟକ ପରିବେଶଣ କରିବ ବୋଲି ସୂଚନା ମିଳିଛି ।
ମହତାବ ପେଣ୍ଡାଲରେ ୧୪ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ସ୍ୱର୍ଣ୍ଣ ମହଲ ନାଟକ ପରିବେଷଣ କରିବ । ଚଳିବ ବର୍ଷ ଏହି ପାର୍ଟିରେ ଯାତ୍ରା ଜଗତର ଚର୍ଚ୍ଚିତ ଯୋଡି ପ୍ରତାପ ରାଉତ ଏବଂ ଜିତା ଅଛନ୍ତି । କଳିଙ୍ଗ ଗଣନାଟ୍ୟରେ ପ୍ରତାପଙ୍କୁ ବେଶ ଭଲ ଭାବରେ ଚିହ୍ନିଛନ୍ତି ଯାତ୍ରା ଦର୍ଶକେ । ଘାଟିକିଆ ପେଣ୍ଡାଲ୍ରେ ୧୪ରୁ ନାଟକ ପରିବେଷଣ କରିବ ‘ଧଉଳି ଗଣନାଟ୍ୟ’। ଚଳିତ ବର୍ଷ ଗୌର ଦାସଙ୍କୁ ପାଥେୟ କରି ମଂଚସ୍ଥ ହେବ ନାଟକ ‘କହ ଗୌର ଦାସ କାହାର ଦୋଷ’। ଦୀପକ ଜେନାଙ୍କ ରଚିତ ଏବଂ ଗୁରୁପ୍ରସାଦ ମିଶ୍ରଙ୍କ ନିର୍ଦେଶିତ ଏହି ନାଟକ ସହ ନିହାର ମହାନ୍ତିଙ୍କ ରଚିତ ଓ ନିର୍ଦେଶିତ ନାଟକ ‘କଳାକାହ୍ନୁ ମୋ’ର କାଳିଆ ସୁନା’ ନାଟକ ମଂଚସ୍ଥ ହେବ। ଗୌର ଦାସ, ମୁନା-ନମିତା, ମହେନ୍ଦ୍ର ଦାସ (ଭିକୁ ସେଠ୍), ବୁଢ଼ା-କବିତା, ସାନମଣି, ନରି ପଣ୍ଡାଙ୍କୁ ବିଶେଷ ଭୂମିକାରେ ଦେଖିବାକୁ ମିଳିବ। କଳିଙ୍ଗପେଣ୍ଡାଲରେ ।
ଏଥର ପ୍ରଥମ ପର୍ଯ୍ୟାୟରେ ୧୪ରୁ ୧୮ ପର୍ଯ୍ୟନ୍ତ ନାଟକ ପରିବେଷଣ କରିବ ‘ଗୌରୀ ଗଣନାଟ୍ୟ’। ପ୍ରଦୀପ ବେହେରାଙ୍କ ରଚିତ ଓ ନିର୍ଦେଶିତ ନାଟକ ‘ବାଘ ବୁଲୁଛି ରାଜଧାନୀରେ’ ଏବଂ ହର ବାରିକଙ୍କ ରଚିତ ଓ ନିର୍ଦେଶିତ ନାଟକ ‘ଗୌରୀ ନାନୀର ନୂଆ ଠିକଣା’ ମଂଚସ୍ଥ ହେବ। ଗୌରୀ ପେଣ୍ଡାଲ୍ରେ ପ୍ରିୟ, ରୀନା ପଣ୍ଡା, ଦୀପୁ, କୁନା-ରଂଜି, ବାପୁନି, ଝୁନା, ବୁଦ୍ଧିଆନା, ନିଲୁଆ, ଜୟନ୍ତ ଏବଂ ସଂଜୀବଙ୍କୁ ଦେଖିବାକୁ ମିଳିବ।