ଈୁବନେଶ୍ୱର (ଏଟିଆର ବ୍ୟୁରୋ): ଓଡିଆ ସିନେମା ଜଗତର ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ ଘଟିଛି । ଏନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୋକ ବାର୍ତ୍ତାରେ ସ୍ୱର୍ଗତ ଝରଣା ଦାସଙ୍କୁ ଜଣେ ଯଶସ୍ୱୀ କଳାକାର ଭାବେ ବର୍ଣ୍ଣନା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀ ଟ୍ୱିଟ ଯୋଗେ ଲେଖିଛନ୍ତି କି, ଓଡିଆ ଚଳଚ୍ଚିତ୍ର ଜଗତର କିମ୍ବଦନ୍ତୀ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ ବିଷୟରେ ଜାଣି ମୁଁ ଦୁଃଖିତ । ଆକାଶବାଣୀଠୁ ନେଇ ମଞ୍ଚ ତଥା ଚଳଚ୍ଚିତ୍ରରେ ତାଙ୍କ ପ୍ରଭାବଶାଳୀ ଅଭିନୟ ସର୍ବଦା ସ୍ମରଣୀୟ ରହିବ । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋ ସମବେଦନା ଜଣାଉଛି ।
ଏହାସହିତ ସ୍ୱର୍ଗତ ଝରଣା ଦାସଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।