ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଉ ନାହାନ୍ତି ବର୍ଷିୟାନ ଅଭିନେତା ବିଜୟ ମହାନ୍ତି । ଗତକାଲି ରାତିରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା । ଦୀର୍ଘ ଦିନ ହେବ ସେ ଅସୁସ୍ଥ ଥିଲେ ତାଙ୍କ ଚିକିତ୍ସା ଚାଲିଥିଲା କିନ୍ତୁ ଗତକାଲି ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । କରୋନା କଟକଣା ମଧ୍ୟରେ ଆଜି ରାଜ୍ୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ।
ଗତ ମେ ମାସରେ ବିଜୟଙ୍କର ହୃଦଘାତ ହେବା ପରେ ତାଙ୍କୁ ହାଇଦ୍ରାବାଦର ଏକ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲା । ସେଠାରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ମାତ୍ର ସ୍ୱାସ୍ଥ୍ୟରେ ସୁଧାର ଆସିବା ପରେ ଓଡିଶା ଆସିବା ପାଇଁ ଜିଦ୍ କରିଥିଲେ ବିଜୟ । ଏହାପରେ ତାଙ୍କୁ ଓଡିଶା ଅଣାଯାଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ ବିଜୟ । କିନ୍ତୁ ଗତକାଲି ରାତିରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।