ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଧାନ ପାଇଁ ଧସ୍ତାଧସ୍ତି । ପୁଲିସ ଓ ବିଜେପି କର୍ମୀଙ୍କ ଏଭଳି ଘମାଘୋଟ ଧସ୍ତାଧସ୍ତି ଦୃଶ୍ୟ ଦେଖିବାକୁ ମିଳିଛି ସଚ୍ଚିବାଳୟ ସାମ୍ନାରେ । ଧାନମଣ୍ଡି ସମସ୍ୟା ଓ ଏମଏସପିର ଅବ୍ୟବସ୍ଥାକୁ ନେଇ ଆଜି ରାସ୍ତାକୁ ଓହ୍ଲାଇଛି ବିଜେପି କୃଷକ ମୋର୍ଚ୍ଚା । ଅଚାନକ ମୋର୍ଚ୍ଚାର କର୍ମୀମାନେ ସଚ୍ଚିବାଳୟ ଗେଟ ସାମ୍ନାରେ ପହଞ୍ଚି ହଙ୍ଗାମା କରିଥିଲେ । ପରେ ପରେ ସମସ୍ତେ ସଚ୍ଚିବାଳୟ ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ ।
ହେଲେ ସେଠାରେ ଡ୍ୟୁଟିରେ ଥିବା ସୁରକ୍ଷା କର୍ମୀମାନେ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିବା ବେଳେ ଆରମ୍ଭ ହୋଇଥିଲା ଧସ୍ତାଧସ୍ତି । ସାରା ରାଜ୍ୟରେ ଏବେ ଧାନମଣ୍ଡି ସମସ୍ୟା ଦେଖାଦେଇଛି । ଯାହା ଚାଷୀଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି । ଏବେ ବି ଅନେକ ସ୍ଥାନରେ ମଣ୍ଡି ଖୋଲିନଥିବା ବେଳେ ଆଉ ଯେଉଁଠି ଖୋଲିଛି ସେଠି ମିଲରମାନେ ଧାନ ନେଉନଥିବା ଅଭିଯୋଗ କରିଛି ମୋର୍ଚ୍ଚା ।
କେବଳ ଏତିକି ନୁହେଁ ସବୁଠୁ ବଡ଼ ସମସ୍ୟା ହେଉଛି ଏଭଳି ଛକାପଞ୍ଝା ଭିତରେ ମଧ୍ୟ ଅନେକ ଚାଷୀଙ୍କୁ ସେମାନଙ୍କ ଉଚିତ ପ୍ରାପ୍ୟ ବି ମିଳୁନାହିଁ । ତେଣୁ ଏଥିପାଇଁ ମୁଖ୍ୟମନ୍ତ୍ରୀ ଓ ସମବାୟ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଦାବି କରି ମୋର୍ଚ୍ଚା ସଚ୍ଚିବାଳୟ ଆଗରେ ବିକ୍ଷୋଭ କରିଥିଲା । ତେବେ ଏହି ଧସ୍ତାଧସ୍ତି ଘଟଣାରେ ପୁଲିସ କେତେକ କର୍ମୀଙ୍କୁ ଅଟକ ରଖିଥିବା ସୂଚନା ମିଳିଛି ।