ଭୁବନେଶ୍ୱର (ଏଟିଆର ବ୍ୟୁରୋ); ବୁଧବାର ପୁଣି ଓଡିଶା ଗସ୍ତରେ ଆସୁଛନ୍ତି କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଭବାନୀପାଟଣା ଏବଂ ରାଉରକେଲାରେ ଆୟୋଜିତ ହୋଇଥିବା ସାଧାରଣ ସଭାରେ ଯୋଗ ଦେବେ । ୧୫ ଦିନ ମଧ୍ୟରେ ରାହୁଲ ଦୁଇଥର ଓଡିଶା ଆସୁଛନ୍ତି । ଯାହାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି । ସେପଟେ ରାହୁଲଙ୍କ ଓଡିଶା ଗସ୍ତକୁ ନେଇ ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍ସାହ ବଢ଼ିବାରେ ଲାଗିଛି । ୨୦୧୯ ନିର୍ବାଚନ ପୂର୍ବରୁ ରାହୁଲଙ୍କ ଗୁରୁ ମନ୍ତ୍ର ଆଗକୁ କାମରେ ଆସିବ ବୋଲି କଂଗ୍ରେସ କର୍ମୀମାନେ ମତ ରଖିଛନ୍ତି ।
ପ୍ରଥମେ ଭବାନୀ ପାଟଣାରେ ଆୟେଜିତ ହୋଇଥିବା ସାଧାରଣ ସଭାରେ ଯୋଗ ଦେବେ । ଏଠାରେ ୯ଟି ଜିଲ୍ଲାର କଂଗ୍ରେସ କର୍ମୀ ଯୋଗ ଦେବେ ବୋଲି ସୂଚନା ମିଳିଛି । ତେବେ ଦୀର୍ଘ ୯ ବର୍ଷ ପରେ ରାହୁଲ ପଶ୍ଚିମ ଓଡିଶା ଗସ୍ତରେ ଯାଉଛନ୍ତିି । ଏଣୁ ସ୍ଥାନୀୟ ନେତା ଏବଂ କର୍ମୀଙ୍କ ମଧ୍ୟରେ ଆଗ୍ରହ ବଢ଼ି ଯାଇଛି । ଭବାନୀପାଟଣା ସଭା ପରେ ରାହୁଲ ସୁନ୍ଦରଗଡ ଜିଲ୍ଲା ରାଉରକେଲାରେ ଯୋଗ ଦେବେ । ଏଠାରେ ମଧ୍ୟ ବହୁ ସଂଖ୍ୟକ ନେତା ଏବଂ କର୍ମୀ ଯୋଗ ଦେବେ ବୋଲି କଂଗ୍ରେସ ପକ୍ଷରୁ ସୂଚନା ମିଳିଛି ।
ଗତ ୨୫ ତାରିଖରେ ରାହୁଲ ଓଡିଶା ଗସ୍ତରେ ଆସି ଉଭୟ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ । ଏଣୁ ଏଥର ଗସ୍ତ ଉପରେ ସମସ୍ତଙ୍କ ନଜର । କଣ କହିବେ ଏବଂ କିଭଳି ସମାଲୋଚନା କରିବେ ତାକୁ ନେଇ ତର୍ଜମା ଆରମ୍ଭ ହେବାକୁ ଲାଗିଲାଣି । ନିର୍ବାଚନ ପାଖେଇ ଆସୁଥିବାରୁ ଭୋଟରଙ୍କ ମନ ମୋହିବା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ସମାଲୋଚନା କରିବେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ସେପଟେ ରାହୁଲଙ୍କ ଗସ୍ତକୁ ନେଇ ଦଳୀୟ କର୍ମୀଙ୍କ ମଧ୍ୟରେ ନିର୍ବାଚନ ଲଢ଼ିବା ପାଇଁ ମନୋବଳ ଦୃଢ଼ ହୋଇ ଯାଇଥିବା କହୁଛନ୍ତି । କଂଗ୍ରେସର ବରିଷ୍ଠ ନେତା ସୁରେଶ ରାଉତଙ୍କ ବୟସ କମି ଯାଇଥିବା ସେ କହିଛନ୍ତି । ରାହୁଲଙ୍କ ଅଭିଭାଷଣ ଶୁଣିବା ପରେ ତାଙ୍କ ବୟସ ୨୦ ବର୍ଷ ତଳକୁ ପଳେଇଛି ।