ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ସାରା ବିଶ୍ୱ ଏବେ କରୋନାକୁ ନେଇ ଅକଳରେ ପଡିଛି । ଏହି ମହାମାରୀକୁ ନେଇ ଏବେ ସାରା ବିଶ୍ୱର ଅର୍ଥନୀତି ଏକ ପ୍ରକାର ଭୁଷୁଡି ପଡିଛି । ପ୍ରତ୍ୟକ ବ୍ୟବସାୟ ଏବେ କରୋନା ଦାଉରେ ମାନ୍ଦାରେ ଚାଲିଛି । ହେଲେ ବିଲେଇ କପାଳକୁ ଶିଖା ଛିଣ୍ଡିଲା ଭଳି ଏବେ କରୋନାର ଭରପୂର ଫାଇଦା ଉଠାଉଛନ୍ତି ରାଜ୍ୟରେ ଥିବା ବିଭିନ୍ନ ଘରୋଇ ସ୍କୁଲ । ଅତିରିକ୍ତ ଛୁଟିରେ ମାଛତେଲରେ ମାଛ ଭାଜି ଫାଇଦା ମାରିବାକୁ ବସିଛନ୍ତି କିଛି ଘରୋଇ ଡେ ବୋଡିଙ୍ଗ ସ୍କୁଲ । ଟଙ୍କାଟିଏ ଖର୍ଚ୍ଚ ନାହିଁ ହେଲେ ହଜାର ହଜାର ଗଣିନେବେ ।
ସୂଚନା ଯୋଗ୍ୟ ରାଜ୍ୟ ସରକାର କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିବା ଏବେ ଖରାଛୁଟି ଆଗରୁ ସମସ୍ତ ସ୍କୁଲ ବନ୍ଦ ରହିଛି । ମାର୍ଚ୍ଚ ଦ୍ୱିତୀୟ ସପ୍ତାହରୁ ପ୍ରାୟ ସବୁ ସ୍କୁଲ ଗୁଡିକ ବନ୍ଦ ରହିଛି । ଯାହା ଆସନ୍ତା ଜୁନ ମାସରେ ଖୋଲିବ । କାରଣ ଆଗକୁ ଗ୍ରୀଷ୍ମ ପ୍ରବାହ ବଢିବାରୁ ସ୍କୁଲ ଗୁଡିକ ଖୋଲିବା ସମ୍ଭବ ହୋଇ ନପାରେ । ତେବେ ଏହି ଭିତରେ କିନ୍ତୁ ରାଜ୍ୟରେ ଥିବା ଡେ ବୋଡିଙ୍ଗ ସ୍କୁଲ ଗୁଡିକ ସେମାନଙ୍କ ମାସିକିଆ ସ୍କୁଲ ଫିସ ଛାଡିବାକୁ ନାରାଜ । ଯାହାକୁ ନେଇ ଏବେ ଘରୋଇ ସ୍କୁଲ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ସେମାନେ ଅଭିଯୋଗ କରୁଛନ୍ତି ଯେହେତୁ ସ୍କୁଲ ଗୁଡିକ ପାଖାପାଖି ଦେଢମାସ ଆଗରୁ ବନ୍ଦ ହୋଇ ଯାଇଛି ।
ଏହି ସମୟରେ ସ୍କୁଲ ବସ ଠାରୁ ଆରମ୍ଭ କରି ଖାଇବା ପିଇବା ସବୁକିଛି ବନ୍ଦ ରହିଛି । ମାତ୍ର ସ୍କୁଲ ଗୁଡିକ ଏଥିରେ କୌଣସି ରିହାତି କରୁ ନାହାନ୍ତି । ବରଂ ସବୁ ମିଶାଇ ଟଙ୍କା ନେବାକୁ ଅଡି ବସିଛନ୍ତି । ପାଖିପାଖି ଡେ ବୋଡିଙ୍ଗ ସ୍କୁଲ ଗୁଡିକରେ ପାଠ ପଢା ସହିତ ଖାଇବା ପିଇବା ପାଇଁ ଗୋଟିଏ ପିଲା ପିଛା ଅଭିଭାବକଙ୍କୁ ୧୫ ହଜାର ଟଙ୍କା ଦେବାକୁ ପଡିଥାଏ । ବ୍ୟବସାୟ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରତିଷ୍ଠାନ ଏବେ ମାନ୍ଦାରେ ଚାଲିଥିବା ବେଳେ ଏହି ଅତିରିକ୍ତ ବୋଝ ଏବେ ଅଭିଭାବକଙ୍କ ଚିନ୍ତାର କାରଣ ପାଲଟିଛି । ଏଥିରେ ପ୍ରଶାସନ ହସ୍ତକ୍ଷେପ କରିବାକୁ ଅଭିଭାବକ ମାନେ ଦାବି କରୁଛନ୍ତି ।