ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଏଣିକି ସଚିବମାନେ ଜିଲ୍ଲା ପରିଦର୍ଶନ କରିବେ । ଏନେଇ ତିନିମାସିଆ ଯୋଜନା କରିଛନ୍ତି ସରକାର । ତାଲିକା ମଧ୍ୟ ସରକାର ପ୍ରକାଶ କରିଛନ୍ତି । କେଉଁ ସଚିବ କେଉଁ ଜିଲ୍ଲା ଗସ୍ତ କରିବେ ଏନେଇ ତାଲିକାରେ ଉଲ୍ଲେଖ ରହିଛି । ବିଭାଗର ସଚିବମାନେ ଜିଲ୍ଲା ଗୁଡିକ ଗସ୍ତ କରି ସେଠାରେ ବିକାଶ ମୂଳକ କାର୍ଯ୍ୟର ତଦାରଖ କରିବେ । ମମତା ଯୋଜନା ଠାରୁ ଆରମ୍ଭ କରି ମିଶନ ଶକ୍ତି ପର୍ଯ୍ୟନ୍ତ ସବୁକିଛିର ତଦାରଖ କରିବେ ସଚିବମାନେ ।
ପ୍ରକାଶ ପାଇଥିବା ତାଲିକାରେ ଜାନୁଆରୀ ମାସ ଠାରୁ ମାର୍ଚ୍ଚମାସ ପର୍ଯ୍ୟନ୍ତ କାର୍ଯ୍ୟସୂଚୀ ଦିଆଯାଇଛି । ତାଲିକା ଅନୁସାରେ ପିକେ ମହାପାତ୍ରଙ୍କୁ ଢେଙ୍କାନାଳ, ପିକେ ଜେନାଙ୍କୁ କଳାହାଣ୍ଡି, ମୋନା ସର୍ମାଙ୍କୁ ସମ୍ବଲପୁର, ସଞ୍ଜୀବ ଚୋପ୍ରାଙ୍କୁ କନ୍ଧମାଳ, ଅନୁ ଗର୍ଗଙ୍କୁ ରାୟଗଡା ଓ ଡିକେ ସିଂହଙ୍କୁ କେନ୍ଦୁଝର ଜିଲ୍ଲାର ଦାୟିତ୍ୱ ଦିଆଯାଇଛି । ସଚିବମାନେ ଜିଲ୍ଲା ଦର୍ଶନ କରି ସେଠାକାର ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା କରିବା ପରେ ଯେଉଁ ରିପୋର୍ଟ ଦେବେ ତାକୁ ଭିତ୍ତିକରି ଆଗାମୀ କାର୍ଯ୍ୟାନୁଷ୍ଠାନ ନେବେ ସରକାର ।