ପୁରୀ (ଏଟିଆର ବ୍ୟୁରୋ); ଶ୍ରୀମନ୍ଦିର ସସ୍କାର ପାଇଁ ନିଯୁକ୍ତି ହେଲେ ନୂଆ ଆମିକସ କ୍ୟୁରି । ସୁପ୍ରିମ କୋର୍ଟ ଭାରତ ସରକାରଙ୍କ ପୂର୍ବତନ ସିଲିସିଟର ଜେନେରାଲ ରଞ୍ଜିତ କୁମାରଙ୍କୁ ନିଯୁକ୍ତି କରିଛନ୍ତି । ରଞ୍ଜିତଙ୍କୁ ସହଯୋଗ କରିବା ପାଇଁ ସୁପ୍ରିମ କୋର୍ଟର ବରିଷ୍ଠ ଆଇନଜୀବୀ ପ୍ରିୟା ହିଙ୍ଗୁରାନୀଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି । ଗୋପାଳ ସୁବ୍ରମଣ୍ୟଙ୍କ ଇସ୍ତଫା ପରେ ଏହି ଆମିକସ କ୍ୟୁରି ପଦ ଖାଲି ପଡିଥିଲା ।
ଶ୍ରୀମନ୍ଦିରରେ ଭକ୍ତ ହଇରାଣ ହେବା,ନୀତି କାନ୍ତିରେ ବିଭ୍ରାଟ ଆଦି ପ୍ରସଙ୍ଗରେ ଭକ୍ତମାନେ ସୁପ୍ରିମ କୋର୍ଟର ନିର୍ଦ୍ଦେଶ ଲୋଡିଥିଲେ । ଏଣୁ ସମ୍ପର୍କିତ ସର୍ବିଶେଷ ତଥ୍ୟ ପାଇଁ ସୁପ୍ରିମ କୋର୍ଟ ବରିଷ୍ଠ ଆଇନଜୀବୀ ସୁବ୍ରମଣ୍ୟମଙ୍କୁ ନିଯୁକ୍ତି ଦେଇଥିଲା । ତେବେ ସେ ପୁରୀ ଆସି ମନ୍ଦିର ପ୍ରଶାସନ,ଗଜପତି ମହାରାଜା,ଶଙ୍କରାଚାର୍ଯ୍ୟ ଏବଂ ଶ୍ରୀ ମନ୍ଦିର ପରିଚାଳନା କମିଟି ସହ ଆଲୋଚନା କରି ଫେରି ଯାଇଥିଲେ । କିନ୍ତୁ ସେ ନିଜର ବ୍ୟକ୍ତିଗତ କାରଣ ପାଇଁ ଇସ୍ତଫା ଦେବା ପରେ ସୁପ୍ରିମ କୋର୍ଟ ରଞ୍ଜିତ କୁମାରଙ୍କୁ ଆମିକସ କ୍ୟୁରି ପଦରେ ନିଯୁକ୍ତି କରିଛି । ତେବେ ଆସନ୍ତା ଫେବୃଆରୀ ୫ ତାରିଖରେ ଶ୍ରୀମନ୍ଦିରର ପରବର୍ତ୍ତୀ ଶୁଣାଣି ହେବ ବୋଲି ସୁଚନା ମିଳିଛି ।