କୋଣାର୍କ(ଏଟିଆର ବ୍ୟୁରୋ): କୋଣାର୍କ ସୂର୍ଯ୍ୟ ମନ୍ଦିରର ନିଖୁଣ କଳାକୂର୍ତ୍ତୀ ସବୁ ଦେଖିବା ପାଇଁ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ କୋଣାର୍କ ଆସନ୍ତି ହେଲେ ମନ୍ଦିର ଚାରିପଟେ ଲଗାଯାଇଥିବା ଲୁହା ପାଇପ୍ ସବୁ ମନ୍ଦିରର ସୌନ୍ଦର୍ଯ୍ୟ ନଷ୍ଟ କରିବା ସହିତ ଲୁହା ପାଇପ୍ ସଂସ୍ପର୍ଶରେ ଆସି କୀର୍ତ୍ତିରାଜି ମଧ୍ୟ ନଷ୍ଟ ହେଉଛି ।
ବର୍ତ୍ତମାନ ସୂର୍ଯ୍ୟ ମନ୍ଦିରରୁ ଖୋଲା ଯାଉଛି ଦୀର୍ଘ ଦଶନ୍ଧି ଧରି ଲାଗିରହିଥିବା ଲୁହାପାଇପ୍ । ଅର୍କ କ୍ଷେତ୍ର ଏବେ ହୋଇପାରେ ଶୃଂଖଳ ମୃକ୍ତ । ହେଲେ ଏହି କାର୍ଯ୍ୟ ହଠାତ କାହା ନିର୍ଦ୍ଦେଶରେ କରାଯାଉଛି ତାହା ଜଣାପଡିନାହିଁ ।
ସୁଚନା ଅନୁସାରେ ରକ୍ଷଣାବେକ୍ଷଣା ପାଇଁ କୋଣାର୍କରେ ନିଯୁକ୍ତି ପାଇଥିବା ଅଧିକାରୀ ମାନଙ୍କୁ ଲୁହା ପାଇପ୍ ଖୋଲାଯିବା ନେଇ କୌଣଷି ଲିଖିିତ ନିର୍ଦ୍ଦେଶନାମା ଦିଆଯାଇନାହିଁ । ସେପଟେ ଅଣ କୁଶଳୀ କର୍ମଚାରୀ ମାନଙ୍କୁ ମନ୍ଦିରର ଲୁହାବେଡି ଖୋଲିବା କାର୍ଯ୍ୟରେ ନିୟୋଜିତ କରାଯାଇଛି । ଏପରିକି ବିନା ସୁରକ୍ଷାରେ କର୍ମଚାରୀ ମାନେ ମନ୍ଦିର ଶୀର୍ଷରୁ ପାଇପ୍ ଖୋଲୁଥିବାର ମଧ୍ୟ ଦେଖାଯାଉଛି ।
ତେବେ ଏତେ ତରବରିଆ ଭାବରେ ବିନା ଲିଖିତ ନିର୍ଦ୍ଦେଶରେ କଣ ପାଇଁ ଓ କିପରି କାମ ହେଉଛି ଏନେଇ ସାଧାରଣ ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଏହା ସହିତ ଘଟଣାର ବିଧିବଦ୍ଧ ତଦନ୍ତ କରିବା ପାଇଁ ମଧ୍ୟ ସ୍ଥାନୀୟ ଲୋକ ଦାବୀ କରିଛନ୍ତି ।