ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବ୍ୟାନ ହେଲା ପାରାକ୍ୱେଟ ଓ ଗ୍ଲିଫୋସେଟ କୀଟନାଶକ । ଫସଲରେ ପୋକ ନହେବା ପାଇଁ କୃଷକ ମାନେ ନିଜ ଜମିରେ ଏହି କୀଟନାଶକ ବ୍ୟବହାର କରିଥାନ୍ତି । ହେଲେ ଅନେକ ସମୟରେ ଚାଷ କାର୍ଯ୍ୟରେ କ୍ଷତି ହେଉଥିବାର ଦେଖି କୃଷକ ମାନେ ଏହି କୀଟନାଶକ ସେବନ କରି ଆତ୍ମହତ୍ୟା କରି ଦେଉଥିଲେ ।
ଯାହାକୁ ଦେଖି ଡାକ୍ତର ଶଙ୍କର ରାମଚନ୍ଦନୀ ତାଙ୍କର କିଛି ସହଯୋଗୀ ମାନଙ୍କ ସହ ମିଶି ଭିମସାରେ ବାରମ୍ବାର ଅନଶନ କରିବା ସହ ଧାରଣାରେ ମଧ୍ୟ ବସୁଥିଲେ । ଆଜି କିନ୍ତୁ କୃଷି ନିର୍ଦ୍ଦେଶାଳୟ ତରଫରୁ ୨ଟି କୀଟନାଶକ ବ୍ୟାନ କରିବା ପାଇଁ ସମସ୍ତ ଜିଲ୍ଲାର କୃଷି ଅଧିକାରୀଙ୍କୁ ଚିଠି କରାଯାଇଛି । ଚାଷୀମାନେ ଯେପରି ଏହି କୀଟନାଶକକୁ ବ୍ୟବହାର ନକରିବେ ସେଥିପ୍ରତି ଦୃଷ୍ଟି ରଖିବାକୁ ନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଯଦି କେହି ଏହି କୀଟନାଶକ ବ୍ୟବହାର କରୁଛନ୍ତି ତେବେ ଏହାକୁ କିପରି ସୁରକ୍ଷିତ ଭାବେ ବ୍ୟବହାର କରି ହେବ ସେଥିପ୍ରତି ପ୍ରଶିକ୍ଷଣ ଦେବାକୁ ନିର୍ଦ୍ଦେଶାଳ ପକ୍ଷରୁ କୁହାଯାଇଛି ।