ପୁରୀ (ଏଟିଆର ବ୍ୟୁରୋ); ଆଉ ମାତ୍ର କେଇଟା ଦିନ ଗଲେ ଆରମ୍ଭ ହୋଇଯିବ ଧାର୍ମିକ ମାସ କାର୍ତ୍ତିକ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତିକାନ୍ତି ଚୂଡାନ୍ତ ହୋଇଛି । ନିର୍ଦ୍ଧାରିତ ହୋଇଥିବା ତାଲିକା ଅନୁଯାୟୀ ଭୋର ୪ଟାରୁ ଦ୍ୱାରଫିଟା ନୀତି କରାଯିବ । ଏହା ପରେ ମଙ୍ଗଳ ଆଳତି, ମଇଲମ, ତଡପଲାଗି, ଭୋଗମଣ୍ଡପ, ମଧ୍ୟାହ୍ନଧୂପ, ଦ୍ୱିତୀୟ ଭୋଗ ମଣ୍ଡପ ଅନୁଷ୍ଠିତ ହେବ । ପୁଣି ସନ୍ଧ୍ୟାରେ ସନ୍ଧ୍ୟା ଆରତୀ, ସନ୍ଧ୍ୟା ଧୂପ ଏବଂ ବଡ ସିଂହାର ବେଶ ଆଦି କରାଯିବ ।
ଅନ୍ୟପଟେ ଆସନ୍ତା ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ନୀତି ନିର୍ଘଣ୍ଟ କରାଯାଇଛି । ସେହିଅନୁଯାୟୀ ନଭେମ୍ବର ୨୫ ରେ ଲକ୍ଷ୍ମୀନାରାୟଣ ବେଶ ରହିଥିବା ବେଳେ ନଭେମ୍ବର ୨୬ ରେ ବାଙ୍କଚୂଡ ବେଶ ନଭେମ୍ବର ୨୭ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବ । ସେହିପରି ନଭେମ୍ବର ୨୮ ରେ ତ୍ରିବିକ୍ରମ ବେଶ, ନଭେମ୍ବର ୨୯ ରେ ଲକ୍ଷ୍ମୀନୃସିଂହ ବେଶ ଏବଂ ନଭେମ୍ବର ୩୦ ରେ ରାଜାଧିରାଜ ବେଶ ଅନୁଷ୍ଠିତ ହେବ ।
ମହାମାରୀ କରୋନା ପାଇଁ ଦୀର୍ଘ ସାତ ମାସରୁ ଅଧିକ ସମୟ ହେବ ବନ୍ଦ ରହିଛି ମନ୍ଦିର । ଭଗବାନଙ୍କୁ ଦର୍ଶନ କରିବାରେ ବଞ୍ଚିତ ହୋଇଛନ୍ତି ଭକ୍ତ । ମନ୍ଦିରରେ କେବଳ ଭଗବାନଙ୍କ ନୀତିକାନ୍ତି ଓ ପୂଜାର୍ଚ୍ଚନା ହେଉଛି ।