ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ବିଶ୍ୱକପ ହକିରେ ଆଜି ଦେଖିବାକୁ ମିଳିବ ଏକ ହାଇଭୋଲଟେଜ ମ୍ୟାଚ । ଘରୋଇ ଭାରତକୁ ସାମ୍ନା କରିବା ପାଇଁ ଫୁଲଦମରେ ଅଛି ୟୁରୋପିୟ ଶକ୍ତି ତଥା ଆକ୍ରମଣାତ୍ମକ ହକି ଖେଳୁଥିବା ଦଳ ବେଲଜିୟମ । ସନ୍ଧ୍ୟା ୭ଟାରେ ଖେଳାଯିବାକୁ ଥିବା ମ୍ୟାଚଟି ଦୁଇଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ନିର୍ଣ୍ଣାୟକ ହେବ । ପୁଲ ସିରେ ଥିବା ଏହି ଦୁଇ ଦଳ ମଧ୍ୟରୁ ଯେଉଁ ଦଳ ଆଜିର ମ୍ୟାଚଟି ଜିତିବ ସେ ସିଧାସଳଖ କ୍ୱାଟର ଫାଇନାଲରେ ପହଁଞ୍ଚିବ । ଏଣୁ ଆୟୋଜିତ ହେବାକୁଥିବା ମ୍ୟାଚଟି ଦୁଇ ଦଳପାଇଁ କର ବା ମର ପରିସ୍ଥିତ ସୃଷ୍ଟି କରିଛି । ଏଣୁ ଏହି ମ୍ୟାଚଟି ଅତ୍ୟନ୍ତ ରୋମାଞ୍ଚପୂର୍ଣ୍ଣ ହେବ ବୋଲି ହକି ପ୍ରେମୀ ଆଶା ରଖିଛନ୍ତି ।
ଉଦଘାଟନୀ ମ୍ୟାଚରେ ବେଲଜିୟମ କାନାଡାକୁ ହରାଇଥିବା ଥିବା ଦକ୍ଷିଣ ଆଫ୍ରିକାକୁ ହରାଇଛି ଭାରତ । ପ୍ରଥମ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିବା ଘରୋଇ ଦଳର ମନୋବଳ ଦୃଢ଼ ରହିଛି । ଏଣୁ ବିଜୟଧାରା ଜାରି ରହିବ ବୋଲି ଭାରତୀୟ ହକି ପ୍ରେମୀମାନେ ଆଶା ରଖିଛନ୍ତି । ଭାରତର ଅଗ୍ରଭାଗ ମନଦୀପ ସିଂହ, ସମ୍ରନଜିତ ସିଂହ, ଆକାଶଦୀପ ସିଂହ ଓ ଲଳିତ ଉପାଧ୍ୟାୟ ଆପ୍ରିଂକା ବିରୋଧରେ ଭଲ ପ୍ରଦର୍ଶନ କରିଥିଲା । ରକ୍ଷଣଭାଗରେ କିନ୍ତୁ ହରମନ୍ପ୍ରୀତ୍ ସିଂହ, ବୀରେନ୍ଦ୍ର ଲାକ୍ରା, ସୁରେନ୍ଦ୍ର କୁମାର ଏବଂ ଗୋଲ୍ରକ୍ଷକ ପିଆର ଶ୍ରୀଜେଶ କିନ୍ତୁ ବେଲ୍ଜିୟମ୍ ବିପକ୍ଷରେ ଅପେକ୍ଷାକୃତ ଅଗ୍ନୀ ପରୀକ୍ଷାର ସମ୍ମୁଖୀନ ହେବେ। ଗୋଟିଏ ଗୋଟିଏ ଭୁଲ ଭାରତର ବିଶ୍ବକପ୍ ଆଶା ଓ ଅଭିଳାଷକୁ ପାଣିରେ ମିଳାଇ ଦେବାର ଆଶଙ୍କା ବି ରଖିଛି। ପେନାଲ୍ଟି କର୍ନର ଉଭୟ ଦଳ ପାଇଁ ଚିନ୍ତାର କାରଣ ରହିଛି। ଭାରତ କିନ୍ତୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୫ରୁ ୨ଟି ରୂପାନ୍ତର କରି ଆଗରେ ରହିଛି।