ବାରିପଦା (ଏଟିଆର ବ୍ୟୁରୋ); ଆତଙ୍କ ଖେଳାଉଛନ୍ତି ହାତୀ ପଲ । ଗାଁରେ ପଶି ଘରଦ୍ୱାର ଭଙ୍ଗାରୁଜା କରିବା ସହ ଧନ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛନ୍ତି । ତେବେ ଏହି ହାତୀ ପଲକୁ ଘଉଡାଇବାରେ ବିଫଳ ହେଉଛନ୍ତି ବନ ବିଭାଗ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ରାସଗୋବିନ୍ଦପୁର ବଡାମପୁର ଗାଁରେ । ୩୦ରୁ ଅଧିକ ଝାଡଖଣ୍ଡି ହାତୀ ପଲ ଗାଁକୁ ପଶି ଆସିଛନ୍ତି । ଗାଁରେ ପଶି ଘର ଦ୍ୱାର ଭାଙ୍ଗିବା ସହ ଧାନ ଫସଲ ମଧ୍ୟ ନଷ୍ଟ କରୁଛନ୍ତି । ଏଣୁ ଗରୀବ ଚାଷୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଗତ ୧୫ ଦିନ ହେବ ଏହି ଝାଡଖଣ୍ଡି ହାତୀ ପଲ ଆସି ବହୁ ଅସୁବିଧା କରୁଥିବା କଥା ବନବିଭାଗ ଆଗରେ ଗାଁଲୋକ ଜଣାଥିଲେ । ଗାଁ ଲୋକଙ୍କ କଥା ରଖି ହାତୀ ଘଉଡାଇବାକୁ ଆସିଥିଲେ ମଧ୍ୟ ବନ ବିଭାଗର କର୍ମଚାରୀମାନେ ବିଫଳ ହୋଇଛନ୍ତି । ତେବେ ଏହି ହାତୀପଲ ଗାଁରେ ପଶି ଆତଙ୍କ କରୁଥିଲେ ମଧ୍ୟ ବନବିଭାଗ କୈାଣସି ପଦକ୍ଷେପ ନେଉନାହିଁ । ଏଣୁ ଗାଁ ଲୋକ ପ୍ରତିବାଦ କରି ଫରେଷ୍ଟ ଅଫିସକୁ ଘେରାଉ କରିଛନ୍ତି । ହାତୀପଲଙ୍କୁ ନଘଉଡାଇବା ପର୍ଯ୍ୟନ୍ତ ଫରେଷ୍ଟ ଅଫିସରଙ୍କୁ ଘେରାଉ କରିବେ ବୋଲି କହିଛନ୍ତି ଗ୍ରାମବାସୀ ।