ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ପୂରାପୂରି ଫିଲ୍ମଷ୍ଟାଇଲ । ମିଳିମିଶି ଏକ ଗ୍ୟାଙ୍ଗ କଲେ । ଗ୍ୟାଙ୍ଗରେ ରହିଲେ ୫ରୁ ଅଧିକ ସଦସ୍ୟ । ମିଶନ ଥିଲା ନାମିଦାମିଙ୍କୁ କିଡନାପ । ଏଥିପାଇଁ ପୂରା କଚା ଚିଠା ବି ପ୍ରସ୍ତୁତ ହୋଇଥିଲା । ଖୋଲା ଯାଇଥିଲା ଫେକ ଫେସବୁକ ଆକାଉଣ୍ଟ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପୂରା ଘଟଣାରେ ଜଣେ ସୁନ୍ଦରୀ ତରୁଣୀଙ୍କୁ ମଧ୍ୟ ଢ଼ାଲ ବନାଯାଇଥିଲା । ଆଉ ତା’ପରେ ଆରମ୍ଭ ହୋଇଥିଲା ମିଶନ । ଯାହାର ପର୍ଦ୍ଦାଫାସ କରିଛି କମିଶନରେଟ ପୁଲିସ । ପୂରା ରାଜ୍ୟରେ ଏହି ଘଟଣା ପ୍ରଥମ ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି ଖୋଦ ପୁଲିସ କମିଶନର ୱାଇବି ଖୁରାନିଆ । ଘଟଣାରେ ସମ୍ପୃକ୍ତ ୫ଜଣଙ୍କୁ ଗିରଫ କରାଯାଇଛି । ତେବେ ଘଟଣାରେ ଢ଼ାଲ ଥିବା ସୁନ୍ଦରୀ ତରୁଣୀଙ୍କର କିନ୍ତୁ ପତା ନାହିଁ । ଖୁବ ଶୀଘ୍ର ତାକୁ ଧରାଯିବ ବୋଲି ପୁଲିସ କହିଛି ।
ସବୁଠୁ ବଡ଼ କଥା ହେଉଛି ପୁଣି ଏହି ଘଟଣାରେ ଇଂଜିନିୟରିଂ ଛାତ୍ରଙ୍କ ସମ୍ପୃକ୍ତି ରହିଛି । ଗିରଫ ଅଭିଯୁକ୍ତମାନେ ହେଲେ ପୁରୀର ଗୋପାଳ କୃଷ୍ଣ ମହାପାତ୍ର, ସୁଭରାଜ ବେହେରା, ସୌମ୍ୟରଂଜନ ମିଶ୍ର, ଅଭିଜିତ ମିଶ୍ର, ସିର୍ଦ୍ଧାଥ ମହାପାତ୍ର । ଏମାନଙ୍କ ପାଖରୁ ପୁଲିସ ନଗଦ ୧ଲକ୍ଷ ଟଙ୍କା ସମେତ ଖଣ୍ଡା, ମୋବାଇଲ, କାର ସମେତ ଏକ ପଲସର ଗାଡି ଜବତ କରିଛି । ତେବେ ଘଟଣାର ମାଷ୍ଟରମାଇଣ୍ଡ ଗୋପାଳ ବୋଲି ପୁଲିସ କହିଛି ।
ପୂରା ଘଟଣାଟି ଏହିପରି, ବିଟେକ ଛାତ୍ର ଗୋପାଳ ହିଁ ଗଢ଼ିଥିଲା ଏକ ଗ୍ୟାଙ୍ଗ । ବାଛିଥିଲା ତା’ର ୫ରୁ ଅଧିକ ସହଯୋଗୀଙ୍କୁ । ବଡ଼ବଡ଼ିଆଙ୍କ ପୁଅକୁ କିଡନାପ କରି ଟଙ୍କା ଇନକମ କରିବା ଥିଲା ମୂଳ ଉଦ୍ଦେଶ୍ୟ । ଖାସ ଏଥିପାଇଁ ସେ ବିଛାଇଥିଲା ମାୟାଜାଲ । ଜାଲରେ ଥୋପ କରାଯାଇଥିଲା ଜଣେ ଯୁବତୀଙ୍କୁ । ତେବେ ଗତ ୨୬ ତାରିଖରେ ଏହି ଥୋପ ଦେଖି ଫସିଥିଲେ ଶୈଳଶ୍ରୀବିହାର ଅଞ୍ଚଳର ପ୍ରଶାନ୍ତ ରଥଙ୍କ ପୁଅ । ଝିଅର ଚାଟରେ ବାୟା ହୋଇ ଧାଇଁ ଯାଇଥିଲା । ଏହାପରେ ତାକୁ କବଜା କରି ମୁଣ୍ଡ ଜାମିନ ବାବଦକୁ ଏହି ଗ୍ୟାଙ୍ଗ ୨୦ଲକ୍ଷ ଡିମାଣ୍ଡ କରିଥିଲେ । ଅଜଣା ଫୋନ କଳ ପାଇ ପ୍ରଶାନ୍ତଙ୍କ ମୁଣ୍ଡ ଚକ୍କର ଖାଇଯାଇଥିଲା । ଅଭିଯୋଗ କଲେ ବି ଗ୍ୟାଙ୍ଗ ପାଖରେ ପୁଲିସ ପହଁଚିବାକୁ ସକ୍ଷମ ହେଉନଥିଲା । କାରଣ ଗ୍ୟାଙ୍ଗ ଗୋଟିଏ ସ୍ଥାନରେ ଅପରେଟ କରୁନଥିଲେ । କେତେବେଳେ ପୁରୀ ତ’ ପୁଣି କେତେବେଲେ ବାଲେଶ୍ୱର କରି ଏଣେ ତେଣେ ଘୁରି ବୁଲୁଥିଲେ । ମୋବାଇଲ ନମ୍ବରକୁ ଟ୍ରାକ କରି ଥରେ ପୁଲିସ ପୁରୀରେ ବି ପହଁଚିଥିଲା । କିନ୍ତୁ ପୁଲିସକୁ ଚକମା ଦେଇ ସେଠାରୁ ଗ୍ୟାଙ୍ଗ ଖସି ପଳାଇଥିଲେ । ଏଣେ ପୁଅକୁ ପାଇବା ଆଶାରେ ପୁଲିସ ଉପରୁ ଭରସା ତୁଟାଇ ଗ୍ୟାଙ୍ଗର କଥାରେ ରାଜି ହୋଇଥିଲେ ପ୍ରଶାନ୍ତ । ନଗଦ ୨ଲକ୍ଷ ଟଙ୍କା ଦେଇ ପୁଅକୁ ପାଇଥିଲେ ।
ଏପଟେ କିନ୍ତୁ ତଦନ୍ତକୁ ଚାଲୁ ରଖିଥିଲା ପୁଲିସ । ମୋଟା ଟଙ୍କା ପାଇ ଗ୍ୟାଙ୍ଗର ସଦସ୍ୟ ବୋମିଖାଲ ଏରିଆରେ ଅଏସ କରୁଥିବା ବେଳେ ପୁଲିସ ସମସ୍ତଙ୍କୁ କାବୁ କରିଥିଲା । ପୁଲିସ କହିବାନୁସାରେ, ଅପହରଣକାରୀମାନେ ପ୍ରଶାନ୍ତଙ୍କ ପୁଅକୁ ସବୁବେଳେ ନିଶାରେ ରଖୁଥିଲେ । ଯେମିତି ସେ ପାଟି ଫିଟାଇବା ତ’ ଦୂରର କଥା କୁଆଡେ ଉଠି କି ବି ଯାଇପାରିବନି । କେବଳ ଏତିକି ନୁହେଁ ସେମାନେ ପ୍ରଶାନ୍ତଙ୍କ ପୁଅ ପୂର୍ବରୁ ବହୁତ ପିଲାଙ୍କୁ ଟାର୍ଗେଟ କରିଛନ୍ତି । ମାୟାବିନି ଯୁବତୀଙ୍କ ଜରିଆରେ ଫସାଇବାକୁ ଜାଲ ବିଛାଇଛନ୍ତି । କିନ୍ତୁ କେହି ଫସିନଥିବା ବେଳେ ପ୍ରଶାନ୍ତଙ୍କ ନାବାଳକ ପୁଅ କିନ୍ତୁ ଫସିଗଲେ । ଏଠି ପ୍ରଶ୍ନ କୁଆଡେ ଗଲେ ସେହି ମାୟାବିନି ଯୁବତୀ? ଗୋପାଳଙ୍କ ସହ ତାଙ୍କର କ’ଣ ସମ୍ପର୍କ?
କାହିଁକି ଗଢ଼ିଥିଲା ଗ୍ୟାଙ୍ଗ:
ବିଟେକ ପରେ ହାଇଦ୍ରାବାଦ ଯାଇଥିଲା ଗୋପାଳ । ସେଠାରୁ ପୁଣି ଭୁବନେଶ୍ୱର ଆସି ଏକ ଫୁଡ ଡେଲିଭରି ସଂସ୍ଥାରେ କାମ କଲା । ହେଲା ମିଳିଲାନି ମୋଟା ଅଙ୍କର ଟଙ୍କା । ବେଶ କ୍ଷତି ସହିଲେ । ଶେଷରେ ହତାସ ହୋଇ ଗୋପାଳ ଏହି କିଡନାପ ଗ୍ୟାଙ୍ଗ କରିବା ଲାଗି ମନ ବଳାଇଲା ।
କେମିତି ହୋଇଥିଲା ଅପହରଣ:
ପ୍ରଥମେ ତ’ ଯୁବତୀଙ୍କୁ ଢ଼ାଲ କରି ପ୍ରଶାନ୍ତଙ୍କ ପୁଅକୁ ଜାଲରେ ପକାଇଥିଲେ ଗ୍ୟାଙ୍ଗର ସଦସ୍ୟ । ୨୬ ତାରିଖ ସନ୍ଧ୍ୟାରେ ଟ୍ୟୁସନ ସାରି ଫେରିବା ବେଳେ ଅପହରଣକାରୀ ଏକ କାର ଭଡାରେ ଆଣି ତାଙ୍କୁ ଉଠାଇ ଆଣି ହେପାଜତରେ ରଖିଥିଲେ । ମୁଣ୍ଡ ଜାମନ ବାବଦକୁ ୨୦ଲକ୍ଷ ଟଙ୍କା ଡିମାଣ୍ଡ କରିଥିଲେ ।