ଭୁବନେଶ୍ୱର,୧୬ା୨(ବ୍ୟୁରୋ): ବିଲକୁଲ ମାନି ନଥିଲେ । ଅଗ୍ନିଶମ ବିଭାଗର ଯେଉଁ ସବୁ କାଇଦା କାନୁନ ରହିଛି ସେଥିରେ ଢ଼ିଲା ମାରିଥିଲେ । ଯାହାର ଉଚିତ ଜବାବ ଦେଇଛି ଅଗ୍ନିଶମ ବିଭାଗ । ସିଧା ହୋଟେଲକୁ ସିଲ କରିଛି । ରାଜଧାନୀର ସୂର୍ଯ୍ୟାଂଶ ହୋଟେଲକୁ ଆଜି ଏଥିପାଇଁ ଦଶା ଭୋଗିବାକୁ ପଡିଛି । ୨ଟି ହଲକୁ ଯଉ ଅଠା ଦେଇ ତାଲା ଝୁଲାଇଛି ଅଗ୍ନିଶମ ବିଭାଗ ।ସେପଟେ ଟାର୍ଗେଟରେ ବି ରହିଛି ହୋଟେଲ ଶିତଲ । ନୋଟିସ ପରେ ବି ହୋଟେଲ କର୍ତୃପକ୍ଷ ଚେତିନଥିବା ଯୋଗୁ ସେଠି ବି ଆଖି ବୁଲାଇବ ଅଗ୍ନିଶମ ବିଭାଗ ।
ନିକଟରେ ବଡ଼ ବଡ଼ ହୋଟେଲ ଓ ସପିଙ୍ଗ ମଲର ଅଗ୍ନିଶମ ବ୍ୟବସ୍ଥା ଠିକଠାକ ରହିଛି ନା ନାହିଁ ସେନେଇ ଆରମ୍ଭ ହୋଇଥିଲା ଯାଂଚ । ଫାୟାର ଡିଜି ବିକେ ଶର୍ମାଙ୍କ ନିର୍ଦ୍ଦେଶ କ୍ରମେ ଏହି ସ୍ପେଶାଲ ଡ୍ରାଇଭ ପୂରା ଓଡିଶାରେ ଚାଲିଥିଲା । ତେବେ ସବୁ ଆଇନ୍ କାନୁନକୁ ଫାଙ୍କି ଦେଇଥିଲେ ହୋଟେଲ କର୍ତୃପକ୍ଷ । ଯାହାର ପରିଣାମ ଏବେ ଆଖି ସାମ୍ନାରେ । ସକାକୁ ସକାଳୁ ହୋଟେଲରେ ପହଁଚି ଅଗ୍ନିଶମ ବିଭାଗ ଅଧିକାରୀ ସିଲ କରିଛନ୍ତି । ଏହି ଘଟଣାକୁ ନେଇ ଅନ୍ୟ ହୋଟେଲ ଓ ସପିଙ୍ଗ ମଲ ମାଲିକଙ୍କ ଚିନ୍ତା ବଢ଼ିଯାଇଛି ।