କେନ୍ଦୁଝର (ଏଟିଆର ବ୍ୟୁରୋ); କେନ୍ଦୁଝର ବଳଦେବ ଜୀୟୂଙ୍କ ରଥ ବିଶ୍ୱର ସବୁଠାରୁ ବଡ ରଥ । ଏହା ଗିନିଜ ବୁକରେ ସ୍ଥାନ ପାଇବ ବୋଲି ସୂଚନା ମିଳିଛି । ଏହି ଖବର ପାଇବା ପରେ କେନ୍ଦୁଝର ଜିଲ୍ଲା ସମେତ ସମଗ୍ର ରାଜ୍ୟରେ ଖୁସିର ଲହରି ଖେଳି ଯାଇଛି । ମିଳିଥିବା ସୂଚନା ଅନୁଯାୟୀ କେନ୍ଦୁଝର ବଳଦେବ ଜୀୟୂଙ୍କ ରଥ ସବୁଠାରୁ ବଡ ରଥ ବୋଲି ଜିଲ୍ଲା ପ୍ରଶାସନ ଦାବି କରୁଥିଲା । ଏଣୁ ଏହାକୁ ଗିନିଜ ବୁକରେ ରେକର୍ଡ କରାଯାଉ ବୋଲି ବହୁ ଦିନ ଧରି ଗ୍ଳୋବାଲ ରେକର୍ଡସ ଆଣ୍ଡ ରିସର୍ଚ ଫାଉଣ୍ଡେସନ ଆଗରେ ଦାବି କରାଯାଉଥିଲା ।
ଏହି ଆବେଦନକୁ ଗ୍ରହଣ କରି ଗତ ୨୫ ତରିଖରେ ଗ୍ଳୋବାଲ ରେକର୍ଡସ ଆଣ୍ଡ ରିସର୍ଚ ଫାଉଣ୍ଡେସନ ପକ୍ଷର ମୁଖ୍ୟ ମନମୋହନ ରାୱତ କେନ୍ଦୁଝର ଗସ୍ତରେ ଆସି ରଥକୁ ଅନୁଧ୍ୟାନ କରିଥିଲେ । ଏହା ପରେ ସେ ରିପୋର୍ଟ ରିସର୍ଚ କମିଟିକୁ ଦେଇଥିଲେ । କେନ୍ଦୁଝର ବଳଦେବ ଜିଉଙ୍କ ରଥର ଉଚ୍ଚତା ୭୨ ଫୁଟ ହୋଇଥିବା ବେଳେ ପ୍ରସ୍ଥ ୪୫ ଫୁଟ। କେନ୍ଦୁଝର ରଥ ସର୍ବୋଚ୍ଚ ରଥ ବୋଲି ଘୋଷଣା ହେବା ପରେ ଆବେଦନକାରୀ ତଥା କେନ୍ଦୁଝର ଉପଜିଲ୍ଲାପାଳ ସୋମନାଥ ପ୍ରଧାନ ଆନନ୍ଦ ପ୍ରକାଶ କରିଛନ୍ତି। ଖୁବଶୀଘ୍ର ଏହାକୁ ଗିନିଜ୍ ବୁକ୍ସ ଅଫ୍ ରେକର୍ଡରେ ସ୍ଥାନ ଦେବା ପାଇଁ ଆବେଦନ କରାଯିବ ବୋଲି ସେ କହିଛନ୍ତି।