ପୁରୀ (ଏଟିଆର ବ୍ୟୁରୋ): ଆଜି ଇଂରାଜୀ ନବବର୍ଷ ୨୦୧୯ । ଏନେଇ ରାଜ୍ୟର ବିଭିନ୍ନ ସ୍ଥାନ ଉତ୍ସବମୁଖର ହୋଇ ଉଠିଛି । ଏହାସହିତ ବର୍ଷ ଆରମ୍ଭ ମହାପ୍ରଭୁଙ୍କ ଦର୍ଶନରୁ ହିଁ କରିବାକୁ ଚାହିଁଛନ୍ତି ଲୋକେ । ସେଥିଲାଗି ପୁରୀ ସହର ଲୋକାରଣ୍ୟ ହୋଇ ଉଠିଛି । ଜଗତର ନା ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ଲାଗି ରାତି ୧୨ ଟା ୨୨ ମିନିଟ୍ ରେ ସିଂହଦ୍ୱାର ଖୋଲା ଯାଇଥିଲା । କିନ୍ତୁ ରାତି ୨ଟାରେ ଶାହାଣ ମେଲା ଦର୍ଶନ ଆରମ୍ଭ ହୋଇଯାଇଥିଲା । ମହାପ୍ରଭୁଙ୍କ ଦର୍ଶନ କରିବା ଲାଗି ରାତିରୁ ଶ୍ରୀମନ୍ଦିରରେ ଗହଳି ଆରମ୍ଭ ହୋଇଯାଇଥିଲା । ଏହାକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଭାବେ ଦର୍ଶନ କରିବା ଲାଗି ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବନ୍ଦବସ୍ତ କରାଯାଇଛି ।
ନୂଆ ସକାଳର ନୂଆ ଆଲୋକ ସହ ନୂତନ ଆଶା ଓ ସମ୍ଭାବ୍ୟ ନେଇ ଶ୍ରୀକ୍ଷେତ୍ର ପୁରୀରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ଏହି ନବବର୍ଷରେ ସାଧାରଣ ଜନତାଙ୍କ ସମେତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବହୁ ମାନ୍ୟଗଣ ବ୍ୟକ୍ତିମାନେ ଶ୍ରୀଜିଉଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମମାନ ରହିଛି । ସେଥିପାଇଁ ପୋଲିସ ସଜାଗ ରହିବା ସହ ସମସ୍ତ ଟ୍ରାଫିକ୍ ନିୟମ କଡାକଡି କରାଯାଇଛି ।