ଭଦ୍ରକ (ଏଟିଆର ବ୍ୟୁରୋ) : – ପୁଣି ଦିଗହରା ହେଲା ଆମ୍ବୁଲାନ୍ସ । ଜୀବନ ବଂଚାଇବା ବଦଳରେ ଜୀବନ ନେଲା ଜୀବନଗାଡି । ଭଦ୍ରକ-ଚାନ୍ଦବାଲି ରାସ୍ତାର ଉଗ୍ରତାରା ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ରୋଗୀକୁ ନେଇ ଡାକ୍ତରଖାନା ଯାଉଥିବା ଆମ୍ବୁଲାନ୍ସ ଭାରସାମ୍ୟ ହରାଇ ଗଛରେ ପିଟିହେବା ଫଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି ।
ଗୁରୁବାର ରାତିରେ ଚାନ୍ଦବାଲି ଅଂଚଳର ଉପେନ୍ଦ୍ର ସାହୁଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ଡାକ୍ତରଖାନାକୁ ନିଆଯାଉଥିଲା । ତେବେ ରାତି ପ୍ରାୟ ୩ଟା ବେଳେ ଉଗ୍ରତାରା ନିକଟରେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିଲା ଆମ୍ବୁଲାନ୍ସ । ଦୁର୍ଘଟଣାଗ୍ରସ୍ତ ଆମ୍ବୁଲାନ୍ସ ଭିତରେ ଚାପି ହୋଇ ରହିବା ଫଳରେ ହେଲପର ପ୍ରମୋଦ ପରିଡାଙ୍କୁ ଉଦ୍ଧାର କରାଯିବା କଷ୍ଟକର ଥିଲା । ଏକ ଜେସିବି ସାହାଯ୍ୟରେ ଗାଡିଟିକୁ ଟଣାଯିବା ପରେ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ସେହିଭଳି ଅତ୍ୟଧିକ ସଙ୍କଟାପନ୍ନ ଥିବା ଉପେନ୍ଦ୍ର ବି ପ୍ରାଣ ହରାଇଥିଲେ । ଏହାସହ ଗାଡିରେ ଥିବା ଉପେନ୍ଦ୍ରଙ୍କ ପରିବାର ଲୋକେ ବି ଆହତ ହୋଇଛନ୍ତି । ଜଣଙ୍କର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ପଠାଯାଇଥିବା ବେଳେ ଅନ୍ୟମାନେ ଚାନ୍ଦବାଲି ଡାକ୍ତରଖାନାରେ ଚିକିତ୍ସିିତ ହେଉଛନ୍ତି ।