ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପୁଲୱାମା ହମଲା ପରେ ଆତଙ୍କବାଦୀ ବିରୋଧରେ ପ୍ରଥମ ଥର ପାଇଁ ପାକିସ୍ତାନ କାର୍ଯ୍ୟାନୁଷ୍ଠାନ ନେଇଛି । ମଙ୍ଗଳବାର ଜୈଶ-ଏ-ମୋହମ୍ମଦର ମୁଖ୍ୟ ମସୁଦ ଅଜହରର ଭାଇ ମୁଫତି ଅବଦୁଲା ରଉଫଙ୍କ ସମେତ ୪୪ ସଦସ୍ୟଙ୍କୁ ପୋଲିସ ଗିରଫ କରିଛି ।
ମସୁଦ ଅଜହରର ଭାଇ ରଉଫଙ୍କୁ ପଚରା ଉଚରା ପାଇଁ ହାଜତକୁ ନିଆଯାଇଛି । ଏନେଇ ପାକିସ୍ତାନର ଗୃହ ରାଜ୍ୟ ମନ୍ତ୍ରୀ ଶହରୟାର ଅଫରିଦି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଜଣାଇଛନ୍ତି ।
ଖବରମୁତାବକ, ଅନ୍ତରାଷ୍ଟ୍ରୀୟ ସମୁଦାୟକୁ ଆଶ୍ୱସନା ଦେବା ପରେ ଯାଇ ପାକିସ୍ତାନ ଆତଙ୍କବାଦୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବ ବୋଲି ନିଷ୍ପତ୍ତି ନେଇଛି । ପ୍ରତିବନ୍ଧିତ ସଦସ୍ୟର ଯେଉଁ ସମସ୍ୟଙ୍କୁ ହାଜତକୁ ନିଆଯାଇଛି , ତାଙ୍କ ନାଁ ଭାରତ ଦ୍ୱାରା ପାକିସ୍ତାନକୁ ଦିଆଯାଇଥିବା ନଥିପତ୍ରରେ ଥିଲା । ଯଦି ସେମାନଙ୍କ ବିରୋଧରେ କୌଣସି ପ୍ରମାଣ ନମିଳୁଛି ତେବେ ତାଙ୍କୁ ମୁକ୍ତ କରିଦିଆ ଯିବ ବୋଲି ପାକିସ୍ତାନର ମୃହ ମନ୍ତ୍ରଳାୟ ସଚିବ ମତ ବ୍ୟକ୍ତ କରିଛନ୍ତି । ଏହି କାର୍ଯ୍ୟାନୁଷ୍ଠାନ ଉପରେ ପାକିସ୍ତାନୀ ଅଧିକାରୀ ଜୋର ଦେଇ କହିଛନ୍ତି କି ଏହା ଭାରତର ଚାପରେ କରାଯାଇ ନାହିଁ, ବରଂ ଏହି ନିଷ୍ପତ୍ତି ରାଷ୍ଟ୍ରୀୟ ଆକ୍ସନ ପ୍ଲାନ ଦ୍ୱାରା ନିଆଯାଇଛି ।
ଏହାପୂର୍ବରୁ ମୁମ୍ବାଇ ଆତଙ୍କୀ ହମଲାକୁ ନେଇ ଭାରତ ଯେତେବେଳେ ପାକିସ୍ତାନ ଷଡଯନ୍ତ୍ରକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଚାପ ପକାଇଥିଲା, ସେତେବେଳେ ଲସ୍କର-ଏ-ତୋଏବା ର ପ୍ରମୁଖ ହାଫିଜ୍ ସଇଦଙ୍କ ନିକଟତର ଜକି-ଓର-ରହମାନ ଏବଂ ମୌଲାନା ମସୁଦ ଅଜହରଙ୍କୁ ହାଜତକୁ ନିଆଯାଇଥିଲା । କିନ୍ତୁ ପ୍ରମାଣ ନଥିବା ବାହାନା ଦେଖାଇ ତାଙ୍କୁ ପରମୁହୂର୍ତ୍ତରେ ଛାଡି ଦିଆଯାଇଥିଲା ।