ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଧରା ଶ୍ରାବଣରେ ଟାଇଁ ଟାଇଁ ଖରା । ଧନ ଜୀବନକୁ ଗୋଟେ ପ୍ରକାର ବ୍ୟତିବ୍ୟସ୍ତ କରି ପକାଇଥିଲେ । ଚାଷୀ ମୁଣ୍ଡରେ ଚଡକ । ମୌସୁମୀ ଠିକଣା ହଜାଇ କୁଆଡେ ଚାଲି ଯାଇଥିଲା । ବର୍ଷା ଅଭାବରୁ ଅନେକ ସ୍ଥାନରେ ଚାଷ ଉଜୁଡ଼ି ଗଲାଣି। ଅନେକ ଅଞ୍ଚଳରେ ଗଜା ମରୁଡ଼ିର ଆଶଙ୍କା ଦେଖା ଦେଇଛି। ଯାହାକୁ ନେଇ ଚାଷୀ ଚିନ୍ତାରେ । ତେବେ ଆଜି ଠାରୁ ପାଗରେ ସାମାନ୍ୟ ପରିବର୍ତ୍ତନ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆନ୍ଧ୍ର-ଓଡ଼ିଶା ଉପକୂଳ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏକ ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେବା ସମ୍ଭାବନା ରହିଛି।
ଏହାର ପ୍ରଭାବରେ ରାଜ୍ୟରେ ୨ରୁ ୩ଦିନ ବର୍ଷା ହୋଇପାରେ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ଯାହା ଚାଷ ଅନୁକୂଳ ହେବ ବୋଲି ବିଶେଷଜ୍ଞ ମାନେ ମତ ରଖିଛନ୍ତି । ସୂଚନାଯୋଗ୍ୟ ଗତ ୧୫ ଦିନ ହେଲା ରାଜ୍ୟରେ ବର୍ଷାର ପରିମାଣ ପୁରା କମି ଯାଇଛି କହିଲେ ଚଳେ । ଶ୍ରାବଣ ମାସରେ ବର୍ଷାର ଦେଖା ନାହିଁ । ଉପକୂଳ ଓଡିଶା ସମେତ ପଶ୍ଚିମ ଓଡିଶାରେ ବର୍ଷା ପାଣି ଅଭାବରୁ ଚାଷ କ୍ଷତିଗ୍ରସ୍ତ ହେଉଛି । ଅକ୍ଷୟ ତୃତୀୟା ବେଳ ଠାରୁ ଅଖିମୁଠି ଚଳେଇଲେଣି ଚାଷୀ ହେଲେ ବର୍ଷାର ଦେଖା ନାହିଁ ।
ଏଥର ରାଜ୍ୟକୁ ମୌସୁମୀ ପାଖାପାଖି ୧୦ ଦିନ ବିଳମ୍ଭରେ ଆସିଥିଲା ।ଯାହାର ପ୍ରଭାବରେ ରାଜ୍ୟରେ ଦୁଇ ଚାରିଦିନ ଭଲ ବର୍ଷା ହୋଇଥିଲା । ଲଘୁଚାପ ବର୍ଷାରେ ବି ଭଲ ବର୍ଷା ହୋଇଥିଲା । ହେଲେ ତାପରେ ଆଉ ବର୍ଷାର ଦେଖା ନାହିଁ ପୁଣି କୁଆଡେ ଠିକଣା ହଜେଇଲା ମୌସୁମୀ । ରାଜ୍ୟରେ ଦକ୍ଷୀଣ ପଶ୍ଚିମ ମୌସୁମୀ ବାୟୁ କୁଆଡେ ଗାଏବ ହୋଇଗଲା । ପାଣିପାଗ ବିଭାଗ ସୂଚନା ଅନୁସାରେ ରାଜ୍ୟରେ ଜୁନ ମାସ ପହିଲା ତାରିଖରୁ ଆଜି ପର୍ଯ୍ୟନ୍ତ ୨୬ ପ୍ରତିଶତ କମ ବର୍ଷା ହୋଇଛି ।
ରାଜ୍ୟରେ ପଶ୍ଚିମ ଓଡିଶାର କେତେକ ଜିଲ୍ଲାରେ ୪୦ ପ୍ରତିଶତରୁ କମ ବର୍ଷା ହୋଇଥିବା ସୂଚନା ମିଳିଛି । ବଲାଙ୍ଗୀର କଥା ନ କହିଲେ ଭଲ । ମୌସୁମୀର ଆଗ ମନରେ ବଲାଙ୍ଗୀରରେ ପାଖାପାଖି ୮୦ ହଜାର ହେକ୍ଟର ଜମିରେ ମଞ୍ଜି ବୁଣି ସାରିଛନ୍ତି ଚାଷୀ । ଏବେ ମଞ୍ଜି ବୁଣି ଦେଇ ବର୍ଷାକୁ ୍ରଅନେଇ ବସିଛି ଚାଷୀ । ତେବେ ଏହି ୩ ଦିନ ଯଦି ବର୍ଷାର ପରିମାଣ ଅଧ୍ଖଳ ରହିବ ସ୍ଥିତି ସ୍ୱାଭାବିକ ହେବ ବୋଲି ସୂଚନା ମିଳିଛି ।