ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ପାରିବାରିକ କଳହକୁ ନେଇ ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀରେ । ବୋହୂ ବେକରେ ଶାବଳ ପକାଇ ଚଢ଼ିଯାଇଛି ଶାଶୁ । ଗୁରୁତର ଅବସ୍ଥାରେ ଆହତ ବୋହୂକୁ ଉଦ୍ଧାର କରି ସ୍ଥାନୀୟ ଲୋକେ ଏକ ଘରୋଇ ହସପିଟାଲରେ ଭର୍ତି କରିଥିବା ବେଳେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଏଭଳି ଘଟଣା ଘଟିଛି ଇନଫୋସିଟି ଥାନା ଚିରଗୋଲାତୋଲା ବସ୍ତିରେ ।
ମିଳିଥିବା ରିପୋର୍ଟ ଅନୁସାରେ, ଜିତେନ୍ଦ୍ର ସାହୁ ନାମକ ଯୁବକ କିଛିଦିନ ତଳେ ଜଣେ ବ୍ରାହ୍ମଣ ଝିଅଙ୍କୁ ପ୍ରେମ କରି ବାହା ହୋଇଥିଲେ । ଯାହାକୁ ସହଜରେ ଗ୍ରହଣ କରିପାରିନଥିଲେ ଜିତେନ୍ଦ୍ରଙ୍କ ମା’ ଲିଲିବାଳା ସାହୁ । ତେଣୁ ଢ଼େରଦିନ ହେବ ଶାଶୁ ବୋହୂଙ୍କ ମଧ୍ୟରେ ତୁତୁମେଁମେଁ ଲାଗି ରହିଥିଲା । ଯାହା ଆଜି ଉଗ୍ରରୂପ ନେଇଥିଲା । ଘରେ କେହିନଥିବା ବେଳେ ବୋହୂ ବେକରେ ଶାବଳ ପକାଇ ଲିଲି ଚଢ଼ିଯାଇଥିଲେ । ଚିତ୍କାର ଶୁଣି ସ୍ଥାନୀୟ ଲୋକେ ପହଁଚି ଗୁରୁତର ଅବସ୍ଥାରେ ବୋହୂକୁ ଉଦ୍ଧାର କରିଥିଲେ । ପୁଲିସ ଲିଲିବାଳାକୁ ଅଟକ ରଖି ପଚରାଉଚରା କରୁଛି ।