ପୁରୀ (ଏଟିଆର ବ୍ୟୁରୋ): ଆଡପ ବେଦୀରେ ବିଜେ କରିଛନ୍ତି ଚତୁର୍ଦ୍ଧାମୂରତି । ଗତକାଲି ସନ୍ଧ୍ୟାରେ ସେବାୟତମାନେ ଚତୁର୍ଦ୍ଧାମୂରତିଙ୍କୁ ଗୋଟି ପହଣ୍ଡି କରି ଜନ୍ମବେଦୀକୁ ନେଇଛନ୍ତି । ଆଜିଠୁ ଆଡପ ବେଦୀରେ ପୂଜା ପାଇବେ ଶ୍ରୀଜିଉ । ସେହିପରି ଆଡପ ମଣ୍ଡପରେ ଆଜିଠୁ ମହାପ୍ରସାଦ ବା ଅବଢା ଲାଗି କରାଯିବ । କିନ୍ତୁ ଚଳିତବର୍ଷ କରୋନା କଟକଣା ପାଇଁ ଆଡପ ମଣ୍ଡପରେ ଶ୍ରୀଜିଉଙ୍କ ଦର୍ଶନ କରି ପାରିବେ ନାହିଁ ଭକ୍ତ । ମାତ୍ର ଆଡପ ଅବଢା ଭକ୍ତ ପାଇ ପାରିବେ । ଲୋକ ଅର୍ଡର ଦେଇ ଅବଢା ନେଇ ପାରିବେ । ସେନେଇ ଆଲୋଚନା ଚାଲିଛି ଖୁବ୍ ଶୀଘ୍ର ଚୁଡାନ୍ତ ନିଷ୍ପତି ନିଆଯିବ ।
ଗତକାଲି ରଥ ଉପରୁ ଶ୍ରୀଗୁଣ୍ଡି ଘରକୁ ପ୍ରବେଶ କରିଛନ୍ତି ଚତୁର୍ଦ୍ଧା ମୂରତି । ଗୋଟି ପହଣ୍ଡିରେ ପ୍ରଥମେ ରାମକୃଷ୍ଣ ଓ ମଦନମୋହନ ଆଡପ ବେଦୀକୁ ବିଜେ କରିଥିଲେ । ଏହାପରେ ସୁଦର୍ଶନ ବିଜେ କରିଥିଲେ । ପୁଣି ବଡ ଠାକୁର ବଳଭଦ୍ର, ଭଉଣୀ ସୁଭଦ୍ରା ଓ ଶେଷରେ ଭାଇ ଜଗନ୍ନାଥ ଆଡପ ବେଦୀକୁ ବିଜେ କରିଥିଲେ । ଏହି ଅବସରରେ ଘଣ୍ଟ, ଘଣ୍ଟା, ହରିବୋଲ, ଜୟଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ଖଣ୍ଡମଣ୍ଡଳ ।