ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ (ୟୁଏନଏସସି) ର ଅସ୍ଥାୟୀ ସଦସ୍ୟ ଭାବେ ଚୟନ ହୋଇଥିବା ଭାରତ, ୨୦୨୧ ମସିହା ଅଗଷ୍ଟ ମାସରେ ୧୫ ଦେଶ ବିଶିଷ୍ଟ ଶକ୍ତିଶାଳୀ ପରିଷଦ ଅଧ୍ୟକ୍ଷ ପଦର ଭାର ସମ୍ଭାଳିବ । ପ୍ରତ୍ୟେକ ସଦସ୍ୟତା ଦେଶ ଗୋଟେ ପରେ ଗୋଟେ ଏକ ମାସ ପାଇଁ ପରିଷଦର ଅଧ୍ୟକ୍ଷତା କରିଥାନ୍ତି । ସଂଯୁକ୍ତ ରାଷ୍ଟ୍ର ପ୍ରବକ୍ତାଙ୍କ କାର୍ଯ୍ୟାଳୟରୁ ଜାରି ସୂଚନା ମୂତାବକ, ଭାରତ ଆଗାମୀ ବର୍ଷରେ ପରିଷଦର ଅଧ୍ୟକ୍ଷତା କରିବ ।
ଏହାପରେ ଭାରତ ୨୦୨୨ ମସିହାରେ ଏକ ମାସ ପାଇଁ ପରିଷଦର ଅଧ୍ୟକ୍ଷ ହେବ । ଆଗାମୀ ବର୍ଷ ଜାନୁଆରୀ ମାସରେ ଟ୍ୟୁନିସିୟା ପରିଷଦର ଅଧ୍ୟକ୍ଷ ହେବ । ଏହାପରେ ବ୍ରିଟେନ୍, ଆମେରିକା, ଭିଏତନାମ, ଚୀନ୍, ଏସ୍ତୋନିୟା, ଫ୍ରାନ୍ସ, ଭାରତ, ଆୟରଲାଣ୍ଡ, କେନ୍ୟା, ମେକ୍ସିକୋ ଏବଂ ନାଇଜର ଗୋଟେ ଗୋଟେ ମାସ ପାଇଁ ଅଧ୍ୟକ୍ଷ ହେବେ ।
ସୂଚନାଯୋଗ୍ୟ, ସୁରକ୍ଷା ପରିଷଦର ନିର୍ବାଚନରେ ଭାରତକୁ ମିଳିଥିବା ବହୁଳ ମାତ୍ରାରେ ସମର୍ଥନ ସହାୟତାରେ ଏବେ ଭାରତକୁ ଦୁଇ ବର୍ଷ ପାଇଁ ଅସ୍ଥାୟୀ ସଦସ୍ୟ ଭାବେ ଚୟନ କରାଯାଇଛି । ୧୯୨ ଭୋଟରୁ ୧୮୪ ଭୋଟ କେବଳ ଭାରତକୁ ମିଳିଥିଲା ।